ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି : ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦% କମିବ ସିଲାବସ୍

ବର୍ଷକୁ ୩ଟି ଇଣ୍ଟରନାଲ ପରୀକ୍ଷା କରିବ କଲେଜ, ଚୂଡ଼ାନ୍ତ ପରୀକ୍ଷା ଯୁକ୍ତ୨ ପରିଷଦ ପରିଚାଳନା କରିବ

716

କନକ ବ୍ୟୁରୋ : ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପାଠ୍ୟଖସଡ଼ା ବା ସିଲାବସ୍‌ ହ୍ରାସ ପାଇବ । କରୋନା ସଂକ୍ରମଣ ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ୨ ପିଲାଙ୍କ ପାଠପଢ଼ା ବିଳମ୍ବିତ ହୋଇଥିବାରୁ ୭୦% ସିଲାବସ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକାଡେମିକ୍‌ କାଉନସିଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ପରିଷଦ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ପଠାଯାଇଛି; ଅନୁମତି ମିଳିବା ପରେ ତାହାକୁ ଲାଗୁ କରାଯିବ । ଅନ୍ୟପକ୍ଷରେ କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦେବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା‌ ପରିଷଦ କର୍ତୃପକ୍ଷ ରୂପରେଖ ପ୍ରସ୍ତୁତ କରିଛନ୍ତି ।

ନିଷ୍ପତ୍ତି ଅନୁସାରେ ଯୁକ୍ତ୨ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୩ଟି ଲେଖାଏଁ ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା କରାଯିବ । ପ୍ରତି କ୍ୱାର୍ଟରରେ ଥିଓରି ବିଷୟରେ ୨୦ ମାର୍କ ଲେଖାଏଁ ଏବଂ ପ୍ରାକ୍ଟିକାଲ ବିଷୟରେ ୩୦ ମାର୍କର ପରୀକ୍ଷା ହେବ । ୩୦ ନମ୍ବରରେ ୨୦ ମାର୍କ ଥିଓରି ଓ ୧୦ ମାର୍କ ପ୍ରାକ୍ଟିକାଲ୍‌ ରହିବ । ଯୁକ୍ତ୨ ପ୍ରଥମ ବର୍ଷ ଶେଷ ଓ ଦ୍ବିତୀୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଯିବ । ମହାମାରୀ ସ୍ଥିତି ଯୋଗୁଁ ଯଦି ବାର୍ଷିକ ପରୀକ୍ଷା ହୋଇ ନପାରେ ତେବେ ଇଣ୍ଟରନାଲ ପରୀକ୍ଷା ମାର୍କ ଆଧାରରେ ରେଜଲ୍ଟ ପ୍ରକାଶ ପାଇବ । ଯୁକ୍ତ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ତ୍ରୈମାସିକ ତଥା ଆସେସ୍‌ମେଣ୍ଟ ପରୀକ୍ଷା ସେପ୍ଟେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରାଯିବ ।

ଦ୍ୱିତୀୟ ଆସେସ୍‌ମେଣ୍ଟ ନଭେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ଏବଂ ତୃତୀୟ ଆସେସ୍‌ମେଣ୍ଟ ପରୀକ୍ଷା ଜାନୁଆରି ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ହେବ । କଲେଜ କର୍ତୃପକ୍ଷ ଏହି ସମସ୍ତ ପରୀକ୍ଷା ପରିଚାଳନା କରିବେ । ଯୁକ୍ତ୨ ଶେଷ ତଥା ଚୂଡ଼ାନ୍ତ ପରୀକ୍ଷା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବ । କିନ୍ତୁ କେବେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସେହିପରି ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ଆସେସ୍‌ମେଣ୍ଟ ପରୀକ୍ଷା ଅକ୍ଟୋବର ୪ର୍ଥ ସପ୍ତାହ, ଦ୍ୱିତୀୟ ଆସେସ୍‌ମେଣ୍ଟ ଡିସେମ୍ବର ପ୍ରଥମ/ଦ୍ୱିତୀୟ ସପ୍ତାହ, ‌ତୃତୀୟ ଆସେସ୍‌ମେଣ୍ଟ ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ କରାଯିବ । ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ଏପ୍ରିଲ ପ୍ରଥମ ସପ୍ତାହରେ କରାଯିବ । ପ୍ରଥମ ଇଣ୍ଟରନାଲ ଆସେସ୍‌ମେଣ୍ଟରେ ପଡ଼ିଥିବା ପ୍ରଶ୍ନ ଦ୍ୱିତୀୟ ଇଣ୍ଟରନାଲ୍‌ରେ ପଡ଼ିବ ନାହିଁ । ଦ୍ୱିତୀୟ ଇଣ୍ଟରନାଲରେ ପଡ଼ିଥିବା ପ୍ରଶ୍ନ ତୃତୀୟରେ ପଡିବ ନାହିଁ । ଏହାଦ୍ୱାରା ପିଲାଙ୍କ ବୋଝ କମ୍‌ ହେବ।