୬୫ କୋଟିର କମିଶନ, ନକଲି ବିଲ ! ଫ୍ରାନ୍ସରେ ରାଫେଲ ଡିଲକୁ ନେଇ ହେଲା ନୂଆ ଖୁଲାସା ।

234

କନକ ବ୍ୟୁରୋ : ରାଫେଲ ଦୁର୍ନୀତିକୁ ନେଇ ଆଉ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ଫ୍ରାନ୍ସର ଏକ ପୋର୍ଟାଲ ମିଡିଆପାର୍ଟ ରାଫେଲ ଦୁର୍ନୀତିକୁ ନେଇ ବଡ ଖୁଲାସା କରିଛି । ଫ୍ରାନ୍ସର କମ୍ପାନି ଦାସଲ୍ଟ ଆଭିଏସନ ୩୬ଟି ରାଫେଲ ଏୟାରକ୍ରାଫ୍ଟ ଡିଲ୍ ପାଇଁ ୭.୫ ମିଲିୟନ ୟୁରୋ ଅଥାର୍ତ ୬୫ କୋଟି ଟଙ୍କା କମିଶନ ଆକାରରେ ଦେଇଛି । ମିଡିଆପାର୍ଟ ରିପୋର୍ଟ ଅନୁଯାୟୀ, ସମସ୍ତ କାଗଜପତ୍ର ଥିବା ସତ୍ତେ୍ୱ ମଧ୍ୟ ଭାରତରେ ଏହାର କୌଣସି ଯାଞ୍ଚ ହୋଇନାହିଁ ।

ମିଡିଆପାର୍ଟ ରାଫେଲକୁ ନେଇ ଯେଉଁ ଖୁଲାସା କରିଛି ସେଥିରେ କୁହାଯାଇଛି ଯେ, ଏଥିପାଇଁ ନକଲି ବିଲ୍ ମଧ୍ୟ ପ୍ରସ୍ତୁତ କରଯାଇଛି । ଅକ୍ଟୋବର ୨୦୧୮ରୁ ସିବିଆଇ ଓ ଇଡିକୁ ଜଣାଥିଲା ଯେ, ସୁରେଶ ଗୁପ୍ତା ନାମକ ଜଣେ ମଧ୍ୟସ୍ଥିଙ୍କୁ ୬୫ କୋଟି ଟଙ୍କାର କମିଶନ ଦିଆଯାଇଥିଲା । ଭାରତ ସହ ୩୬ଟି ଯୁଦ୍ଧ ବିମାନ ରାଫେଲ ଡିଲ ପୂରା କରିବାକୁ କମ୍ପାନିକୁ ଏଭଳି କରିବାକୁ ପଡିଥିଲା ।

ମିଡିଆପାର୍ଟ ଅନୁଯାୟୀ, ସୁରେଶ ଗୁପ୍ତା ଡାସଲ୍ଟ ଆଭିଏସନ କମ୍ପାନି ପାଇଁ ମଧ୍ୟସ୍ଥତା କରୁଥିଲେ । ସୁରେଶ ଗୁପ୍ତାଙ୍କ ମରିସସ ସ୍ଥିତ କମ୍ପାନିକୁ ୨୦୦୭ରୁ ୨୦୧୨ ମଧ୍ୟରେ ୭.୫ ମିଲିୟନ ୟୁରୋ ମିଳିଥିଲା । ଏ ସମ୍ପର୍କିତ ସମସ୍ତ କାଗଜପତ୍ର ୨୦୧୮ରେ ମରିସସ ସରକାର ସିବିଆଇକୁ ପ୍ରଦାନ କରିଥିଲେ । ଆଉ ଏହି କାଗଜପତ୍ର ପରବର୍ତ୍ତୀ ସମୟରେ ଇଡି ହାତକୁ ଆସିଥିଲା । ସବୁ ଜାଣିବା ପରେ ମଧ୍ୟ କୌଣସି ତତ୍ପରତା ଦେଖାଇନଥିଲା ସିବିଆଇ । ୨୦୦୧ରେ ସୁରେଶ ଗୁପ୍ତାଙ୍କୁ ଡାସଲ୍ଟ କମ୍ପାନି ନିଯୁକ୍ତି ଦେଇଥିଲା । ଯେତେବେଳେ ଭାରତ ସରକାର ରାଫେଲ ବିମାନ କିଣିବାକୁ ଘୋଷଣା କରିଥିଲେ । ଏହାବାଦ୍ ଇଡି ପାଖରେ ଥିବା ଦସ୍ତାବିଜରେ ସୁରେଶ ଗୁପ୍ତା କହିଥିଲେ ଯେ, ରାଫେଲ ଡିଲ ପାଇଁ ଅନେକ ଭାରତୀୟ ଅଧିକାରୀଙ୍କୁ କମ୍ପାନି ପକ୍ଷରୁ ଟଙ୍କା ଦିଆଯାଇଥିଲା । ଯେତେବେଳେ ରାଫେଲ ଡିଲ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ସେତେବେଳେ ଭାରତୀୟ ପ୍ରତିରକ୍ଷଶ ବିଭାଗରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ଦସ୍ତାବିଜ ହାସଲ କରିଥିଲେ ସୁରେଶ ।