ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଷ୍ଟେଜ ସେୟାର କଲେ ୯ଟି ଦଳର ନେତା ! ହେଲେ କାହିଁକି ଦୂରେଇ ରହିଲେ ନବୀନ

46

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ନୂଆ ଜାତୀୟ ସମୀକରଣ ତିଆରି ହୋଇଛି । ଗୋଟିଏ ପଟେ ମୋଦି ଓ ବିଜେପି, ଅନ୍ୟପଟେ ସବୁ ବିରୋଧୀ । ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣରେ ଏହି ରଣନୀତିର ମୂଳଦୁଆ ପଡିଛି । ପ୍ରାୟ ୮୫ ହଜାର ଲୋକଙ୍କ ଉପସ୍ଥିତିରେ ଆୟୋଜିତ ଶପଥ ସମାରୋହରେ ସାମିଲ ହୋଇଛନ୍ତି ୯ଟି ଦଳର ନେତା । ତେବେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶପଥ ସମାରୋହରେ ସାମିଲ ହୋଇନାହାଁନ୍ତି । ଦିଲ୍ଲୀରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।

ଦ୍ୱିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚଡି କୁମାରସ୍ୱାମୀ । ମେଣ୍ଟ ସହଯୋଗୀ କଂଗ୍ରେସ ନେତା ଜି. ପରମେଶ୍ୱରଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୮୫ ହଜାର ଲୋକଙ୍କ ଉପସ୍ଥିତିରେ ଆୟୋଜିତ ଶପଥ ସମାରୋହରେ ସାମିଲ ହୋଇଛନ୍ତି ୯ଟି ଦଳର ନେତା । ମୋଦି ବିରୋଧୀ ଭାବେ ଜଣାଶୁଣା ନେତାମାନେ ଏକାଠି ହୋଇ ଜାତୀୟ ରାଜନୀତିରେ ବଦଳୁଥିବା ସମୀକରଣର ସଂକେତ ଦେଇଛନ୍ତି । କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିଥିବା କଂଗ୍ରେସ-ଜେଡିଏସ ମେଂଟ ସରକାରର ଶପଥ ସମାରୋହରେ ସାମିଲ ହୋଇ ଏକପ୍ରକାର ବିଜୟ ଉତ୍ସବ ମନାଇଛନ୍ତି ମୋଦି ବିରୋଧୀ । ଯାହା ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି । ତେବେ ଆମନ୍ତ୍ରଣ ସତ୍ୱେ କୁମାରସ୍ୱାମୀଙ୍କ ଶପଥ ଉତ୍ସବରେ କାହିଁକି ଯୋଗ ଦେଲେନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କଂଗ୍ରେସ-ଜେଡିଏସ ମେଂଟର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥ ଉତ୍ସବରେ ସାମିଲ ହୋଇଥିଲେ ମୋଦି ବିରୋଧୀ ଶକ୍ତି । ଶତ୍ରୁର ଶତ୍ରୁ ‘ମିତ୍ର’ ନ୍ୟାୟରେ ଏକାଠି ଷ୍ଟେଜ ସେୟାର କରିଥିଲେ ମାୟାବତୀ ଓ ଅଖିଳେଶ ଏବଂ ମମତା ବାନାର୍ଜୀ ଓ ସୀତାରାମ ୟେଚୁରୀଙ୍କ ଭଳି ପରସ୍ପରର ଘୋର ବିରୋଧୀ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଗତିରୋଧ କରିବାକୁ ଚାହୁଁଥିବା ନେତାମାନଙ୍କୁ ଏକାଠି ହେବାପାଇଁ କର୍ଣ୍ଣାଟକର ଏହି ନୂଆ ନାଟକ ସୁଯୋଗ ଆଣିଦେଇଛି । ତେଣୁ ଟିଆରଏସ ମୁଖ୍ୟ କେସିଆରଙ୍କ ନେତୃତ୍ୱରେ ତୃତୀୟ ସାମୁଖ୍ୟ ପାଇଁ ମୋଦି ବିରୋଧୀଙ୍କୁ ଏକାଠି କରୁଥିବା ମମତା ବାନାର୍ଜୀ, ମାୟାବତୀ ଓ ଅଖିଳେଶ ଯାଦବଙ୍କ ପରି ନେତାଙ୍କୁ କର୍ଣ୍ଣାଟକରେ ଦେଖିବାକୁ ମିଳିଛି । ହେଲେ ଆମନ୍ତ୍ରଣ ପାଇ ଆସିନାହାନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ଡିଏମକେ କାର୍ଯ୍ୟକାରୀ ସଭାପତି ଏମ.କେ. ଷ୍ଟାଲିନ ।

naveenକୁହାଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଆମନ୍ତ୍ରଣ କରିଥିଲେ ଏଚଡି ଦେବେଗୌଡା । ହେଲେ ୧୮ବର୍ଷ ହେଲା କୌଣସି ଶପଥ ସମାରୋହକୁ ଯାଉନଥିବା କହି ଟାଳିଦେଇଥିଲେ ନବୀନ । ସେହିପରି କେସିଆର ଓ ଏମକେ ଷ୍ଟାଲିନ ଅନ୍ୟାନ୍ୟ କାରଣରୁ ଶପଥ ସମାରୋହକୁ ଯାଇ ନାହାନ୍ତି । ଦ୍ୱିତୀୟଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିଏସ ନେତା ଏଚଡି କୁମାରସ୍ୱାମୀ । ମେଂଟ ସହଯୋଗୀ କଂଗ୍ରେସର ନେତା ଜି.ପରମେଶ୍ୱର ରାଓ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କୁମାରସ୍ୱାମୀଙ୍କ ୩୪ ଜଣିଆ ମନ୍ତ୍ରିମଣ୍ଡଳରେ କଂଗ୍ରେସକୁ ୨୨ ଓ ଜେଡିଏସକୁ ୧୨ ମନ୍ତ୍ରୀପଦ ପାଇଁ ସହମତି ହୋଇଛି । ହେଲେ ଏହି ଶପଥ ସମାରୋହରୁ ସାମ୍ନାକୁ ଆସିଥିବା ବିଜେପି ବିରୋଧୀ ମେଳିର ଆଗାମୀ ସାଧାରଣ ନିର୍ବାଚନ ଉପରେ କି ପ୍ରଭାବ ପଡୁଛି ତାହା ଦେଖିବାକୁ ବାକି ରହିଛି ।