ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି ନୂଆ ବିଜୁଳି ବିଲ, ଜାଣନ୍ତୁ ଉପଭୋକ୍ତାଙ୍କୁ କଣ ମିଳିବ ଲାଭ

1,497

କନକ ବ୍ୟୁରୋ : ନଭେମ୍ବର ୨୯ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ସରକାର ଏକ ନୂଆ ବିଜୁଳି ସଂଶୋଧନ ବିଲ ଆଣିବାକୁ ଯାଉଛନ୍ତି । କୁହାଯାଉଛି କି ଏହି ବିଜୁଳି ସଂଶୋଧନ ବିଲର ଡ୍ରାଫ୍ଟ ଏକପ୍ରକାର ଫାଇନାଲ ହୋଇସାରିଛି । ଏହି ବିଲରେ ମୁଖ୍ୟ କଥା ହେଉଛି ଏବେ ସରକାର ଆଉ ବିଜୁଳି କମ୍ପାନୀମାନଙ୍କୁ ରାଜକୋଷରୁ କ୍ଷତିପୂରଣ ଦେବେ ନାହିଁ । ଅନ୍ୟପଟେ ସରକାର ଗ୍ରାହକ ବା ଉପଭୋକ୍ତାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସବସିଡି ଅର୍ଥ ପ୍ରଦାନ କରିବେ । ଏହା ଠିକ୍ ରୋଷେଇ ଗ୍ୟାସ ସବସିଡି ଭଳି ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସରକାର ପ୍ରଦାନ କରିବେ ।

ଏହି ବିଲ୍ ମାଧ୍ୟମରେ ଲାଇସେନ୍ସ ମୁକ୍ତ ବିଜୁଳି ବିତରଣ ପାଇଁ ପ୍ରସ୍ତାବ ଦିଆଯିବ । ଏହା ଫଳରେ ବିଜୁଳି ବିତରଣ କ୍ଷେତୟରେ ଘରୋଇ କମ୍ପାନୀମାନେ ସରକାରୀ ବିତରଣ କମ୍ପାନୀଗୁଡିକ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବେ । ଏହାସହ ବିଜୁଳି ଉପଭୋକ୍ତାମାନେ କେଉଁ ବିଜୁଳି ବିତରଣ କମ୍ପାନୀମାନଙ୍କ ଠାରୁ କନେକ୍ସନ ନେବାକୁ ଚାହିଁବେ ନେଇପାରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ କେନ୍ଦ୍ର ବଜେଟରେ କହିଥିଲେ କି ସରକାର ଏଭଳି ଢାଞ୍ଚା ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ସରକାର ଏଭଳି ସଂଶୋଧନକୁ ନେଇ ଆପତ୍ତି ଉଠାଇଛନ୍ତି ।

କୁହାଯାଉଛି କି ସରକାର ଯଦି ଏଭଳି ନିଷ୍ପତ୍ତି ନେବେ ତେବେ ଏହାର ପ୍ରଭାବ ବିଜୁଳି ଉପଭୋକ୍ତାଙ୍କ ଉପରେ ପଡିବ । କାରଣ ଏପର୍ଯ୍ୟନ୍ତ ରାଜ୍ୟ ସରକାରମାନେ ବିଜୁଳି ବିତରଣ କରୁଥିବା କମ୍ପାନୀମାନଙ୍କୁ ଅଗ୍ରୀମ ସବସିଡ ରାଶି ପ୍ରଦାନ କରୁଛନ୍ତି । ଏହି ସବସିଡ ଆଧାରରେ କମ୍ପାନୀମାନେ ୟୁନିଟ ପିଛା ବିଜୁଳି ଦର ନିର୍ଣ୍ଣୟ କରିଥାନ୍ତି । କେନ୍ଦ୍ର ସରକାର ଯଦି ଏଭଳି ନିଷ୍ପତ୍ତି ନିଅନ୍ତି ତେବେ କମ୍ପାନୀମାନଙ୍କୁ ଅଗ୍ରୀମ ସବସିଡ ପ୍ରଦାନ କରାଯାଇପାରିବ ନାହିଁ ତେଣୁ ବିତରଣ କମ୍ପାନୀମାନେ ଯେଉଁ ବର୍ଦ୍ଧିତ ଦର ଧାର୍ଯ୍ୟ କରିବେ ତାହା ସିଧା ସଳଖ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଇବ । ଅନ୍ୟପଟେ ବିଲରେ କୁହାଯାଇଛି କି ଉପଭୋକ୍ତାମାନଙ୍କ ଖାତାକୁ ସବସିଡ ଅର୍ଥ ପ୍ରଦାନ କରାଯିବ । ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ ଯେ କେଉଁ ଗ୍ରାହକଙ୍କ ଖାତାକୁ ସବସିଡ ଦିଆଯିବ ଓ କେଉଁ ଗ୍ରାହକଙ୍କୁ ସବସିଡ ଅର୍ଥ ମିଳିବ ନାହିଁ ।