ନୂଆ ତାରିଖରେ ହେବ ପିପିଲି ଉପ-ନିର୍ବାଚନ, କେବଳ କଂଗ୍ରେସ ଦେବ ନୂଆ ପ୍ରାର୍ଥୀ ।

223

କନକ ବ୍ୟୁରୋ : ନୂଆ ତାରିଖରେ ହେବ ପିପିଲି ଉପ-ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପ-ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଜଣାଯାଇଛି । ନିର୍ବାଚନ କମିଶନ ପିପିଲି ଉପ-ନିର୍ବାଚନ ପାଇଁ ପୁଣିଥରେ ନୂଆ ତାରିଖ ଘୋଷଣା ସହ ସାନି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଉନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହେବ । ତେବେ ସବୁ ଦଳର ପ୍ରାର୍ଥୀଙ୍କ ବଦଳରେ କେବଳ କଂଗ୍ରେସ ଦଳକୁ ନୂଆ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ମିଳିବ । କିନ୍ତୁ କେବେ ତାରିଖ ଘୋଷଣା ହେବ ସେନେଇ କୌଣସି ସୂଚନା ଆସିନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଆସନ୍ତା ୧୭ରେ ପିପିଲି ଉପ-ନିର୍ବାଚନ ପାଇଁ ପଡିଥାନ୍ତା ଭୋଟ । ତେବେ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପ-ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ମୈଦାନକୁ ଓହ୍ଲାଇଥିବା ବେଳେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ-ନିର୍ବାଚନ ପାଇଁ ବାଜିଥିଲା ବିଗୁଲ ।