କନକ ବ୍ୟୁରୋ : ନୂଆବର୍ଷ ଆସି ଅତି ନିକଟରେ ପହଞ୍ଚିଲାଣି । ବିଶ୍ବବାସୀ ‘ଜିରୋ ଆୱାର’ ମନାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବ୍ରିଟେନ୍ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ବବାସୀଙ୍କ ନିଦ ହଜାଇ ଦେଲାଣି । ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ବର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି । ବ୍ରିଟେନ୍ ପକ୍ଷରୁ ନୂଆ କରୋନା ଭୂତାଣୁ ସଂପର୍କରେ ଘୋଷଣା ହେବା ପରେ ବିଶ୍ବର ପ୍ରାୟ ଅଧିକାଂଶ ଦେଶ ଏହି ଦେଶକୁ ବିମାନ ସେବା ବନ୍ଦ କରିଦେଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍କୁ ବିମାନ ବନ୍ଦ ରଖାଯାଇଛି । ବ୍ରିଟେନ୍ରୁ ଭାରତକୁ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବା ସହିତ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।
ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଫ୍ରାନ୍ସ ସରକାର ଏହାର ବ୍ରିଟେନ୍ ସୀମାକୁ ସିଲ୍ କରିଦେଇ ସାରିଛନ୍ତି। ଜାପାନରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ସୋମବାରଠାରୁ ମାସେ ପର୍ଯ୍ୟନ୍ତ ଜାପାନ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି। ସେହିଭଳି ବିଦେଶରୁ ଦେଶକୁ ଫେରିବାକୁ ଥିବା ଜାପାନୀ ନାଗରିକଙ୍କ ପାଇଁ କଠୋର ନିୟମ ଲାଗୁ କରିଛି। ବିଦେଶରୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ନାଗରିକମାନେ ପ୍ରଥମେ ସେମାନଙ୍କ କରୋନା ନେଗେଟିଭ ରିପୋର୍ଟ ଦାଖଲ କରିବେ। ଏଥିସହିତ ଜାପାନରେ ପହଞ୍ଚିବା ପରେ ପୁନର୍ବାର ସେମାନଙ୍କ କରୋନା ପରୀକ୍ଷା ହେବ। ତେବେ ବିଦେଶୀଙ୍କ ପାଇଁ ଯାତ୍ରା କଟକଣା ଜାପାନ ପକ୍ଷରୁ ୧୦ଟି ଏସୀୟ ଦେଶର ଛାତ୍ର ଓ ବ୍ୟବସାୟୀଙ୍କ ପାଇଁ କୋହଳ ହେବ ବୋଲି ଜଣାଯାଇଛି।