କନକ ବ୍ୟୁରୋ : ବ୍ରିଟେନ୍ରେ ନୂଆ ପ୍ରଜାତିର କରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି। ଲଣ୍ଡନ୍ରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ବାଧ୍ୟତାମୂଳକ ଆର୍ଟିପିସିଆର ଟେଷ୍ଟ୍ କରାଯାଉଛି। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ୫ ଜଣ ଯାତ୍ରୀଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ, ଅମୃତସରରେ ୮ ଜଣ, ଅହମଦାବାଦରେ ୫ ଜଣ, କୋଲାକାତାରେ ୨ ଜଣ ଏବଂ ଚେନ୍ନାଇରେ ଜଣଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ।
ଗତରାତି ୧୦.୪୦ରେ ଦିଲ୍ଳୀ ବିମାନବନ୍ଦରରେ ଅବତରଣ କରିଥିବା ଏୟାର ଇଣ୍ଡିଆ ବିମାନରେ ୨୬୬ ଜଣ ଯାତ୍ରୀଥିଲେ। ସେମାନଙ୍କର କୋଭିଡ୍ ଟେଷ୍ଟ୍ କରାଯିବାପରେ ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି କୋଲକାତରେ ମଧ୍ୟ ୨ ଜଣ ବ୍ୟକ୍ତି ବ୍ରିଟେନ୍ରୁ ଫେରିବାପରେ କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ଗତ ରବିବାର ଦିନ କୋଲକାତାର ଏନ୍ଏସସିବିଆଇ ବିମାନବନ୍ଦରରେ ପହଞ୍ଚିଥିଲେ। ସେମାନଙ୍କୁ ୨ଟି ପୃଥକ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରରେ ଏହି ନୂଆ ପ୍ରଜାତିର ଭୂତାଣୁ ଅଛି କି ନା’ ତାହା ଜାଣିବାପାଇଁ ବିଶେଷଜ୍ଞମାନେ ଅନୁଧ୍ୟାନ ଜାରି ରଖିଛନ୍ତି ।
ବ୍ରିଟେନ୍କୁ ବିମାନ ବାତିଲ ଘୋଷଣା ହେବାପରେ ଭାରତରେ ଅନ୍ୟ ୨ଟି ବିମାନ ଆସି ଗତକାଲି ବିଳମ୍ବିତ ରାତିରେ ପହଞ୍ଚିଥିଲା। ଗୋଟିଏ ମୁମ୍ବାଇରେ ଅବତରଣ କରିଥିବାବେଳେ ଅନ୍ୟଟି ପଂଜାବର ଅମୃତସରରେ ଅବତରଣ କରିଥିଲା। ଅମୃତସରରେ ପହଞ୍ଚିଥିବା ୨୪୦ ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ବ୍ରିଟେନ୍ ଫେରନ୍ତା କରୋନା ଆକ୍ରାନ୍ତଙ୍କଠାରେ ନୂଆ ପ୍ରଜାତିର ଭାଇରସ୍ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏ ନେଇ ବିଶେଷଜ୍ଞ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି।
ବ୍ରିଟେନରେ ଦେଖା ଦେଇଥିବା ମହାମାରୀ କୋଭିଡର ନୂଆ ଷ୍ଟ୍ରେନ । ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗାଇଡଲାଇନରେ କୁହାଯାଇଛି ବ୍ରିଟେନରୁ ଓଡିଶାକୁ ଫେରିଥିଲେ ୧୪ ଦିନ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡିବ । ସେହିପରି ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିଲେ ଦେବାକୁ ପଡିବ ତଥ୍ୟ ।
ନୂଆ ଷ୍ଟ୍ରେନର କରୋନା ଭାଇରସକୁ ନେଇ ସତର୍କତା ମୂଳକ ପଦକ୍ଷେପ ଭାବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ବିଏମସି କର୍ତୁପକ୍ଷ, କ୍ୟାପିଟାଲ ହସ୍ପିଟାଲ କର୍ତୁପକ୍ଷ, ଝାରସୁଗୁଡା ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ବ୍ରିଟେନରୁ ଦିଲ୍ଲୀକୁ ଫେରିଥିବା ୫ଜଣ ଯାତ୍ରୀ ଓ କୋଲକାତାକୁ ଫେରିଥିବା ୨ଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ଓଡିଶା ସରକାର ସତର୍କତାମୂଳକ ଭାବେ ଏସଓପି ଜାରି କରି ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ।