‘କରୋନା’କୁ ନେଇ ଆସିଲା ନୂଆ ଗୁଜବ: ଅପପ୍ରଚାର ପରେ କେନ୍ଦୁଝର ଶନି ମନ୍ଦିରରେ ଲାଗିଲା ଭିଡ; ୨ଟି ପୁଅ ଥିବା ଦମ୍ପତିଙ୍କଠୁ ୫ଟଙ୍କା ନେଇ ପୂଜା କଲେ ଗୋଟିଏ ପୁଅ ଥିବା ଦମ୍ପତି

5,183

କନକ ବ୍ୟୁରୋ: ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, ପୁରୀ ବଡପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା । ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡିଶା । ଠିକ୍ ସେମିତି ଏକ ଗୁଜବ ପଛରେ ମାତିଛି କେନ୍ଦୁଝର ।

କେନ୍ଦୁଝର ଶନି ମନ୍ଦିର ସାମ୍ନାରେ ମହିଳାଙ୍କ ଭିଡ ଲାଗିଛି । ପିଲାଛୁଆଙ୍କୁ ଧରି ମହିଳାମାନେ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରୁଛନ୍ତି । କାରଣ ଜିଲ୍ଲାରେ ଗୁଜବ ବ୍ୟାପିଛି, ୨ଟି ପୁଅ ଥିବା ଦମ୍ପତିଙ୍କ ଠାରୁ ୫ ଟଙ୍କା ନେଇ ଗୋଟିଏ ପୁଅ ଥିବା ଦମ୍ପତି ଶନିମନ୍ଦିରରେ ପୂଜା କଲେ କରୋନା ସଂକ୍ରମଣ ହେବ ନାହିଁ । ଏଭଳି ଏକ ଅଦ୍ଭୁତ ଅପପ୍ରଚାର ଜିଲ୍ଲାରେ ବ୍ୟାପିବା ପରେ ମହିଳାମାନେ ପୂଜା ସାମଗ୍ରୀ ଧରି ମନ୍ଦିରେ ଭିଡ ଜମାଇଛନ୍ତି ।

ସେପଟେ, କରୋନା ସମ୍ପର୍କରେ ମିଛ ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ମିଛ ଖବର ପ୍ରସାର କରିବା କାରଣରୁ ରାୟଗଡ଼ାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ୍ । ଏହି ଯୁବକ ଜଣକ ଫେସ୍ବୁକ୍ରେ ଲେଖିଥିଲେ ରାୟଗଡ଼ାରେ ପହଂଚିଲା କରୋନା । କାଶିପୁରରେ ଜଣେ କରୋନାରେ ଆକ୍ରାନ୍ତ । କେରଳରୁ ଫେରିବା ଏହି ଦାଦନ ଶ୍ରମିକଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରଯାଇଛି ବୋଲି ଏହି ଯୁବକ ଜଣକ ପୋଷ୍ଟ କରିଥିଲେ । ଏଭଳି ମିଛ ଖବର ପ୍ରଚାରିତ କରିବା କାରଣରୁ ଏହି ଯୁବକକୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।