ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା । ସେପ୍ଟେମ୍ବରର ପ୍ରଥମ ୩ ଦିନରେ ରାଜ୍ୟରେ ୩ ହଜାର ଲେଖାଏଁ ଆକ୍ରାନ୍ତ ବଢାଇଲା ଚିନ୍ତା, ବିଶେଷଜ୍ଞ କହିଲେ, ନିୟନ୍ତ୍ରଣକୁ ଆସିବାକୁ ଆହୁରି ଲାଗିବ ଦେଢରୁ ଦୁଇ ମାସ ।

310

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିଚାଲିଛି । ଦିନକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ଏହାରି ଭିତରେ ଆଜି ସଂକ୍ରମଣରେ ଗଂଜାମକୁ ଟପିଛି ଖୋର୍ଦ୍ଧା ଜିଲ୍ଲା । ଏହାରି ଭିତରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କେବେ କମିବ କରୋନା । ଆହୁରି କେତେଦିନ ମହାମାରୀ ଏମିତି ବ୍ୟାପିଚାଲିବ । ବିଶେଷଜ୍ଞ ଡାକ୍ତର କହିଛନ୍ତି, ରାଜ୍ୟରେ ଦେଢରୁ ଦୁଇ ମାସ ଭିତରେ କରୋନା ନିୟନ୍ତ୍ରଣକୁ ଆସିଯିବ ।

ସେପ୍ଟେମ୍ବର ୧ରେ ୩୦୨୫
ସେପ୍ଟେମ୍ବର ୨ରେ ୩୨୧୯
ସେପ୍ଟେମ୍ବର ୩ରେ ୩୬୩୧

ରାଜ୍ୟରେ କରୋନା ସଂକ୍ରମଣର ଏହି ଗ୍ରାଫ ଚିନ୍ତା ବଢାଇଦେଇଛି । ସେପ୍ଟେମ୍ବରର ପ୍ରଥମ ତିନି ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ହଜାର ଉପରେ ରହୁଛି । ଆଉ ବିଶେଷଜ୍ଞଙ୍କ ମତରେ ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ । ସ୍ଥିତି ସୁଧୁରିବାକୁ ଲାଗିପାରେ ଆହୁରି ଦେଢରୁ ଦୁଇ ମାସ ସମୟ ।

ତେବେ ଏସବୁ ଭିତରେ କରୋନାର ହଟସ୍ପଟ୍ ପାଲଟିଥିବା ଗଂଜାମ ଜିଲ୍ଲାକୁ ଟପିଛି ଖୋର୍ଦ୍ଧା । ସଂକ୍ରମଣରେ ରାଜ୍ୟର ଶୀର୍ଷରେ ପହଁଚିଯାଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସେପ୍ଟେମ୍ବର ୧ ତାରିଖରେ ୬୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେପ୍ଟେମ୍ବର ୨ରେ ୭୩୧ ଏବଂ ସେପ୍ଟେମ୍ବର ୩ତାରିଖରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୨୨ । ଏପରିକି ଗଞ୍ଜାମରୁ ୫ ଗୁଣା ସକ୍ରିୟ ରୋଗୀ ଅଛନ୍ତି ଖୋର୍ଦ୍ଧା ଜିଲାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ କରୋନା ସୁସ୍ଥ ହାର ଅନ୍ୟ ରାଜ୍ୟ ଅପେକ୍ଷା ଭଲ ରହିଛି ଏବଂ ମୃତ୍ୟୁହାର ମଧ୍ୟ କମ୍ ରହିଛି ।