ଗଂଜାମ, ବାଲେଶ୍ୱର ପରେ ଏବେ ପୁଣି ଯାଜପୁରରୁ ଆଉ ଜଣେ ପଜିଟିଭ ଚିହ୍ନଟ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ ଛୁଇଁଲା

529

କନକ ବ୍ୟୁରୋ: ରାଜ୍ୟରେ ପୁଣି ଏକ କରୋନା ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ଯାଜପୁୁର ଜିଲ୍ଲାର ହୋଇଥିବା ସୂଚନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଂଚିଲା ।

ଅନ୍ୟପଟେ, ରାଜ୍ୟରେ ଆଜି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଂଜାମ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ବାଲେଶ୍ୱରରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଚିଂଛି । ସେହିଭଳି ସକାଳୁ ଗଂଜାମରୁ ନୂଆ କରୋନା ଆକ୍ରାନ୍ତ ଠାବ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ପାଇଛି ଏବଂ ଏହି ନୂଆ ଆକ୍ରାନ୍ତ ଜଣକ ୧୮ ବର୍ଷୀୟ ସୁରତ ଫେରନ୍ତା ଯୁବକ ବୋଲି ଜଣାପଡିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ନୂଆ ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ କଂଟାକ୍ଟ ଟ୍ରେସିଂ ଜାରି ରହିଛି ।

ଯାଜପୁରରେ ସର୍ବାଧିକ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଖୋର୍ଧାରେ ୪୭, ବାଲେଶ୍ୱରରେ ୨୫, ଭଦ୍ରକ ୨୧, ସୁନ୍ଦରଗଡ ୧୨, ଗଂଜାମରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, କଟକ, କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।