ବାହାମାସ ଲିଙ୍କରେ ଚର୍ଚ୍ଚାକୁ ଆସିଥିବା ମଂଜୁଳା ଶ୍ରଫଙ୍କୁ ନେଇ ନୂଆ ବିବାଦ । ଭଣ୍ଡ ବାବା ନିତ୍ୟାନନ୍ଦଙ୍କ ଜରିଆରେ ନେତା, ବ୍ୟବସାୟୀଙ୍କୁ କରୁଥିଲେ ବ୍ଲାକମେଲ । କୈଳାସର ରାଜମାତା ଭାବେ ହୋଇଥିଲେ ଅଭିହିତ, ଅଲୈାକିକ ଶକ୍ତିର କରୁଥିଲେ ପ୍ରଚାର

384

କନକ ବ୍ୟୁରୋ : ଓଡିଶାର ଜଣେ ବ୍ୟବସାୟୀଙ୍କ ବାହାମାସ ଲିଙ୍କରେ ଚର୍ଚ୍ଚାକୁ ଆସିଥିବା ମଂଜୁଳା ଶ୍ରଫ ପୁଣି ବିବାଦରେ ଫଶିଛନ୍ତି । ଅପହରଣ ଆଉ ନିର୍ଯାତନା ଭଳି ମାମଲାରେ ଦେଶରୁ ଫେରାର ହୋଇଯାଇଥିବା ଭଣ୍ଡ ବାବା ନିତ୍ୟାନନ୍ଦଙ୍କ ସହ ତାଙ୍କ ଘନିଷ୍ଠତା ଏବଂ ଅଲୈାକିକ ଶକ୍ତିର ପ୍ରଚାର କରୁଥିବା ଦୃଶ୍ୟ ଚର୍ଚ୍ଚାକୁ ଆଗକୁ ବଢାଇଛି । ନୂଆ ଏକ ଦେଶ କୈଳାସର ରାଜମାତା ଭାବେ ତାଙ୍କୁ ନିତ୍ୟାନନ୍ଦ ଅଭିହିତ କରିଥିବା ବେଳେ ଏହାର ସ୍ଥାପନା ଦିଗରେ କିଭଳି ବ୍ଲାକମେଲ ଭଳି ରାସ୍ତାକୁ ଆପଣା ଯାଇଥିଲା ସେନେଇ ରିପୋର୍ଟ ପ୍ରକାଶ ପାଇଛି । ନିଜର ତୃତୀୟ ନୟନର ଶକ୍ତି ମାଧ୍ୟମରେ ଦେଖାଉଥିବା ଚମକ୍ରାର ବାବଦରେ ଅତି ଉତ୍ସୁକତାର ସହ ଉଲ୍ଲେଖ କରୁଥିବା ଭିଡିଓ ପ୍ରମାଣିତ କରିଛି, କିଭଳି ନିବିଡ ରହିଛି ମଂଜୁଳା ଏବଂ ନିତ୍ୟାନନ୍ଦଙ୍କ ସଂପର୍କ ।

ମଂଜୁଳା ଶ୍ରଫଙ୍କ ନାଁରେ ମନି ଲଣ୍ଡରିଂର ଅଭିଯୋଗ ରହିଛି, ସେ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁଜୁରାଟରେ ଅନେକ ନେତା, ଅଫିସର ଆଉ ବ୍ୟବସାୟୀଙ୍କୁ ମଂଜୁଳାଙ୍କ ଜରିଆରେ ବ୍ଲାକମେଲ କରୁଥିଲେ ନିତ୍ୟାନନ୍ଦ ।

ଦେଶରୁ ଫେରାର ହେବା ପରେ କୈଳାସ ନାଁରେ ନିଜର ନୂଆ ଏକ ଦେଶ ଗଠନ କରିବାକୁ ନିତ୍ୟାନନ୍ଦ ବ୍ଲାକମେଲ ଭଳି ରାସ୍ତାକୁ ବାଛିଥିଲେ । ଆଉ ଏଥିରେ ସହଯୋଗ କରିଥିବା ମଂଜୁଳା ଶ୍ରଫଙ୍କୁ ରାଜମାତା ଭାବେ ଏକ ଭିଡିଓରେ ଘୋଷଣା କରିଥିଲେ ଦୁଷ୍କର୍ମ, ଅପହରଣ ଭଳି ଘଟଣାରେ ଜଡିତ ଥିବା ଭଣ୍ଡ ବାବା ନିତ୍ୟାନନ୍ଦ ।

ପୂର୍ବରୁ ମଧ୍ୟ ଭଣ୍ଡ ନିତ୍ୟାନନ୍ଦଙ୍କ କାରସାଦିକୁ ଭଗବାନଙ୍କ ଅବତାର ଭାବେ ଉଲ୍ଲେଖ କରିଥିଲେ ମଂଜୁଳା । ଅହମ୍ମଦାବାଦର ଡିପିଏସ ସ୍କୁଲରେ ଚାଲିଥିବା ନିତ୍ୟାନନ୍ଦ ଆଶ୍ରମର ଅନୁସନ୍ଧାନ ସମୟରେ କିଛି ଚକିତ କଲା ଭଳି ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଠି ସାଧିକା ମଂଜୁଳା ଶ୍ରଫ ଭଣ୍ଡ ନିତ୍ୟାନନ୍ଦର ତୃତୀୟ ନୟନ ଦ୍ୱାରା କିଭଳି ଚୁଟି ଉପାଡିବା ସମ୍ଭବ ହୋଇଥିଲା, ତାକୁ ଉଲ୍ଲେଖ କରିଥିଲେ । ଏଥିସହ ଯଦି ଛାତ୍ର ଛାତ୍ରୀଙ୍କର ଦିବ୍ୟଶକ୍ତି ଆସିଯାନ୍ତା, ତେବେ ଜଗତକୁ ଅନେକ ଲାଭ ମିଳନ୍ତା ବୋଲି ଭିଡିଓରେ ମଂଜୁଳା ଦର୍ଶାଉଥିଲେ । ଫ୍ରାନସରେ ଥିବା ଏକ ବ୍ୟାଙ୍କକୁ ଭାରତରେ ରହି ଦେଖିପାରୁଥିଲେ ବୋଲି ସେ କହିଛନ୍ତି । ଏହା କୂଆଡେ ବାବା ନିତ୍ୟାନନ୍ଦଙ୍କ ଅଲୈାକିକ ମହିମା ବୋଲି ସେ ଭିଡିଓରେ କହିଥିଲେ ।
ନିତ୍ୟାନନ୍ଦଙ୍କ ସହ ସଂପର୍କକୁ ନେଇ ବିବାଦ ଘେରକୁ ଆସିଥିବା ମଂଜୁଳା ଓଡିଶାରେ ମନି ଲଣ୍ଡରିଂ କେସରେ ଫଶିଛନ୍ତି । ଯାହାଙ୍କର ଲିଙ୍କ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସହ ରହିଛି ବୋଲି ଅଭିଯୋଗ ହୋଇଛି ।

ଗତକାଲି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡାଙ୍କ ବାହାମାସ ଲିଙ୍କ ନେଇ ଯେଉଁ ଅଭିଯୋଗ ଆସିଥିଲା, ଏବଂ ମିଛ କଂପାନୀ ଜରିଆରେ ଟଙ୍କା ନିବେଶର ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଥିଲା, ସେହି କଂପାନୀରେ ମଂଜୁଳା ନିର୍ଦ୍ଦେଶକ ରହିଛନ୍ତି ବୋଲି କୁହାଯାଇଥିଲା । ଯାହାର କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ମଲଟି ଗ୍ରୁପ ଏଜେନସୀ ଦ୍ୱାରା ତ୍ୱରାନ୍ୱିତ ତଦନ୍ତ ପାଇଁ ଦାବି ହୋଇଆସୁଛି ।