ଅଶୋକ ସ୍ତମ୍ଭକୁ ନେଇ ତେଜିଲା ନୂଆ ବିବାଦ, ସଫେଇ ଦେଲେ ନିର୍ମାଣକାରୀ

392

କନକ ବ୍ୟୁରୋ : ଅଶୋକ ସ୍ତମ୍ଭକୁ ନେଇ ଦେଶରେ ନୂଆ ବିବାଦ ମୁଣ୍ଡ ଟେକିଛି । ଯେବେଠୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଛାତରେ ଅଶୋକ ସ୍ତମ୍ଭର ଉଦଘାଟନ କରିଛନ୍ତି, ସେଥିରେ ଥିବା ସିଂହ ପ୍ରତିମୂର୍ତିର ରୂପରେଖକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୂର୍ବରୁ ଅଶୋକ ସ୍ତମ୍ଭରେ ଥିବା ସିଂହ ମୂର୍ତି ଶାନ୍ତ ସରଳ ମୁଦ୍ରାରେ ଥିବାବେଳେ ଏହାକୁ ଏବେ ଆକ୍ରମଣାତ୍ମକ ଓ ଗର୍ଜନଶୀଳ ଭଙ୍ଗିରେ ନିର୍ମାଣ କରାଯାଇଥିବା ଅଭିଯୋଗ ହେଉଛି । ଯାହା ରାଷ୍ଟ୍ରୀୟ ପ୍ରତୀକର ଅପମାନ ବୋଲି କହିଛନ୍ତି ବିରୋଧୀ । ବିବାଦ ଓ ବିରୋଧ ଭିତରେ ଆସନ୍ତୁ ଜାଣିବା ଭାରତର ଜାତୀୟ ପ୍ରତୀକ ତଥା ପ୍ରକୃତ ଅଶୋକ ସ୍ତମ୍ଭର ରୂପରେଖ କଣ ଥିଲା?
• ପ୍ରକୃତ ଅଶୋକ ସ୍ତମ୍ଭ ଉତରପ୍ରଦେଶର ସାରନାଥ ସଂଗ୍ରହାଳୟରେ ରହିଛି ।
• ଖ୍ରୀଷ୍ଟପୂର୍ବ ୨୫୦ରେ ଏହାର ସ୍ଥାପନା ହୋଇଥିବା ଅନୁମାନ
• ୧୯୦୦ ମସିହାରେ ଜର୍ମାନ ଇଂଜିନିୟର ଫ୍ରେଡିକ ଓସ୍କାର ଓଏନଟେଲ ସାରନାଥ ପାଖ ଅଂଚଳରେ ଖନନ କରୁଥିଲେ ।
• ୧୯୦୫ ମସିହାରେ ଏହି ସ୍ଥାନୀୟ ଅଂଚଳରୁ ମିଳିିଥିଲା
• ଏସଆଇର ତଥ୍ୟ ଅନୁସାରେ ଏହାର ଉଚ୍ଚତା ସେ ସମୟରେ ୭ଫୁଟ ୬ ଇଂଚ ଥିଲା
• କୁହାଯାଏ କି ୫୫ ଫୁଟ ଏହାର ପ୍ରକୃତ ଉଚ୍ଚ ଥିଲା, ଯାହା ସମୟକ୍ରମେ ଭାଙ୍ଗି ଛୋଟ ଆକାରରେ ପରିଣତ ହୋଇଥିଲା ।
• ଖନନ ସମୟରେ ଜଣାପଡିଥିଲା କି ଏହାକୁ ୮ ଫୁଟ ଚଉଡା ଫୁଟ ଲମ୍ବା ଏକ ପଥର ଚଟାଣ ଉପରେ ସ୍ଥାପନ କରାଯାଇଥିଲା ।
• ସ୍ତମ୍ଭ ଉପରେ ଐତିହାସିକ ଓ ପୌରାଣିକ କଥାବସ୍ତୁ ଲେଖା ରହିଛି ।
• ସ୍ତମ୍ଭ ଉପରେ ରାଜା ଅଶୋକଙ୍କ ବ୍ୟତିତ ଅନ୍ୟ ଦୁଇ ରାଜାଙ୍କ ଶାସନକାଳ କଥା ଲେଖା ରହିଛି ।

ଆସନ୍ତୁ ଏବେ ଜାଣିବା କିପରି ଦେଖାଯାଉଛି ବର୍ତମାନ ସଂସଦ ଭବନରେ ସ୍ଥାପିତ ଅଶୋକ ସ୍ତମ୍ଭ । ନୂଆ ଅଶୋକ ସ୍ତମ୍ଭର ଉଚ୍ଚତା ୬ଫୁଟ୫ ମିଟର ଅର୍ଥାତ ୨୧ ଫୁଟ ଉଚ୍ଚ ରହିଛି । କିନ୍ତୁ ଏହି ସ୍ତମ୍ଭ ଜମିଠୁ ୩୩ ମିଟର ଅର୍ଥାତ ୧୦୮ ଫୁଟ ଉପରେ ରହିଛି । ଏହାର ଓଜନ ୧୬ ହଜାର କିଲୋଗ୍ରାମ ରହିଛି ଓ ଅଶୋକ ସ୍ତମ୍ଭର ଓଜନ ୯ହଜାର ୫ଶହ କେଜି ରହିଛି । ଏହାର ଚାରିପାଶ୍ୱର୍ରେ ଷ୍ଟିଲର ସର୍ପୋଟ ଦିଆଯାଇଛି । ଯାହାର ଓଜନ ୬କେଜି ୫ଶହ ରହିଛି । ଏହାର ନିର୍ମାଣ ପାଇଁ ୯ମାସ ଲାଗିଥିଲା ବେଳେ ୧୦୦ରୁ ଅଧିକ କାରିଗର ଏହାକୁ ତିଆରି କରିଥିଲେ । ଅଶୋକ ସ୍ତମ୍ଭକୁ ୧୯୫୦ ମସିହାରୁ ଭାରତର ଜାତୀୟ ପ୍ରତିକ ଭାବେ ଭାବେ ଗଣାଯାଉଛି ।

ବିରୋଧୀଙ୍କ ଅଭିଯୋଗର ପାଲଟା ଜବାବ ରଖିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ନୂଆ ସଂସଦ ଭବନର ନିର୍ମାଣ କରାଯାଇଛି । ୧୫୦ବର୍ଷ ପୁରୁଣା ବ୍ରିଟିଶ ଅମଳର ସଂସଦ ଭବନରେ ସ୍ଥାନ ଏହି ନୂଆ ଭବନ ନେବାକୁ ଯାଉଛି । ତେଣୁ ଏହାକୁ ବିରୋଧ କରି ଦେଶର ମାହୋଲ ବିଗାଡିବାକୁ ବିରୋଧୀ ଚେଷ୍ଟା କରି ଏଭଳି ବୟାନବାଜୀ କରୁଥିବା ବିଜେପି କହିଛି ।