କରୋନା କାଳରେ ନୂଆ ଆଇନ: ଏବେ ଗ୍ରାହକଙ୍କ ହାତରେ ରହିବ ଦୋକାନୀଙ୍କ ଲଗାମ୍…ବିଭ୍ରାନ୍ତିକର ବିଜ୍ଞାପନ ଦେଲେ କାର୍ଯ୍ୟାନୁଷ୍ଠାନ; କ୍ୟାରି ବ୍ୟାଗ ପାଇଁ ଟଙ୍କା ମାଗିଲେ ଜରିମାନା ସାଙ୍ଗକୁ ଚଢା ଦରରେ ଜିନିଷ ବିକିଲେ ଫାଇନ ସହ ହେବ ଜେଲ୍

699

କନକ ବ୍ୟୁରୋ: ଏଣିକି ଠକାମୀର ଶିକାର ହେବେନି କୌଣସି ବି ଗ୍ରାହକ । ଲୋକଙ୍କର ଗୋଟିଏ ଅଭିଯୋଗରେ ଶାସ୍ତି ପାଇବେ କଂପାନୀ ମାଲିକ । ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ସାରା ଦେଶରେ ମୋଦି ସରକାର ଲାଗୁ କରିଛନ୍ତି କନଜ୍ୟୁମର ପ୍ରୋଟେକସନ ଆକ୍ଟ-୨୦୧୯ । ଏହି ଆଇନ ଜୁଲାଇ ୨୦ ତାରିଖ ତଥା ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି । ତେବେ ଏହି ନୂଆ ଆଇନ୍ ଅଧିନରେ ଗ୍ରାହକଙ୍କୁ ପ୍ରଥମ ଥର ପାଇଁ ଅନେକ ପ୍ରକାର ସୁବିଧା ତଥା ଅଧିକାର ମିଳିବ । ଫଳରେ ଜଣେ ଗ୍ରାହକ କୌଣସି ବି କନଜ୍ୟୁମର କୋର୍ଟରେ ମାମଲା ରୁଜୁ କରିପାରିବେ ।

ଏବେ ନଜର ପକାନ୍ତୁ ସଂଶୋଧିତ ଆଇନରେ କଣ ସବୁ ନୂଆ ନିୟମ ସ୍ଥାନ ପାଇଛି…

• ବିଭ୍ରାନ୍ତିକର ବିଜ୍ଞାପନ ପ୍ରଚାର କିମ୍ବା ପ୍ରସାର କଲେ ସିଧା କାର୍ଯ୍ୟାନୁଷ୍ଠାନ

• କ୍ୟାରି ବ୍ୟାଗ ପାଇଁ ଅତିରିକ୍ତ ଟଙ୍କା ନେଇପାରିବେନି ଦୋକାନୀ

• ସିନେମା ହଲରେ ଖାଦ୍ୟ ସାମଗ୍ରୀକୁ ଅଧିକ ଦାମରେ ବିକିଲେ କାର୍ଯ୍ୟାନୁଷ୍ଠାନ

• ନୂଆ ଆଇନରେ ସାମିଲ ହେଲା ଉଭୟ ଅନଲାଇନ ଏବଂ ଟେଲିସପିଂ କଂପାନୀ

• କୌଣସି ବି କନଜ୍ୟୁମର କୋର୍ଟରେ ମାମଲା ରୁଜୁ କରିପାରିବେ ଗ୍ରାହକ

• ସାମଗ୍ରୀରେ ଅପମିଶ୍ରଣ କଲେ ଦୋକାନୀଙ୍କୁ ଜରିମାନା ସାଙ୍ଗକୁ ହୋଇପାରେ ଜେଲ

• ଗ୍ରାହକ ଫୋରମରେ କୋଟିଏ ଟଙ୍କା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇପାରିବ

ବିଭ୍ରାନ୍ତିକର ବିଜ୍ଞାପନ ଦେଲେ କାର୍ଯ୍ୟାନୁଷ୍ଠାନ

ନୂଆ ତଥା ସଂଶୋଧିତ ଆଇନ ଅନୁସାରେ, ଉପଭୋକ୍ତାକୁ ପ୍ରଲୋଭିତ କଲା ଭଳି ବିଜ୍ଞାପନ ଦେଲେ ସଂପୃକ୍ତ କଂପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ନୂଆ ଉପଭୋକ୍ତା ନିୟମ ପ୍ରଣୟନ ପରେ ଗ୍ରାହକଙ୍କ ସମସ୍ୟା ଜନିତ ମାମଲାଗୁଡିକର ସମାଧାନ ସମୟାନୁବର୍ତ୍ତୀ, ପ୍ରଭାବଶାଳୀ ତଥା ଶ୍ରୀଘ୍ର ସମାଧାନ ହୋଇପାରିବ । ତେବେ ନୂଆ ନିୟମ ଅନୁସାରେ, କନଜ୍ୟୁମର କୋର୍ଟ ସହ ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗଠନ କରାଯାଇଛି । ଯାହା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଉପରେ କଡାକଡି ଭାବେ ନଜର ରଖିବ । ଏଥିସହିତ ନୂଆ ନିୟମ ଆନୁସାରେ, ଜଣେ ଗ୍ରାହକ କୌଣସି ବି ଜିନିଷ କିଣିବା ପୂର୍ବରୁ ଉକ୍ତ ସାମଗ୍ରୀର ଗୁଣାବତା ସଂପର୍କିତ ଅଭିଯୋଗ ସିସିପିଏରେ କରିପାରିବେ ।