‘ମଞ୍ଜରୀ’ରେ ଆରମ୍ଭ ହେଉଛି ନୂଆ ଧାରାବାହିକ ‘ବଜରଙ୍ଗୀ କଲୋନୀ’ । ଦର୍ଶକ ଦେଖିବାକୁ ପାଇବେ ପପୁ ପମପମ ଓ ରାନୀ ପଣ୍ଡାଙ୍କ ମଜାଦାର କମେଡି । 

385

କୁହାଯାଏ, ୧୯୫୭ ମସିହାରେ ଏକ ସ୍ୱାସ୍ଥ୍ୟ ବିପ୍ଲବ ଆରମ୍ଭ କରିଥିଲେ ଶ୍ରୀ ଘନଶ୍ୟାମ ପତି । ୧୯୬୪ ମସିହାରେ ସେ ବାହୁବଳୀ ଉପାଧି ପାଇଥିଲେ ବୋଲି ଶୁଣିବାକୁ ମିଳେ। ହେଲେ ଏବେ କର୍ପୁର ଉଡ଼ିଯାଇଛି ରହିଯାଇଛି କେବଳ କନା । ମାନେ ଏବେ ତାଙ୍କର ନାତି ଜଗତନାରାୟଣ ପତି ଓରଫ ଜଗନ ପତି ତାଙ୍କ ଆଖଡାକୁ ଚଳାଇ ଆସୁଛନ୍ତି । ଭୁବନେଶ୍ୱରରେ ଯେଉଁଠି ଘରଭଡା ଅତିକମରେ ପାଞ୍ଚ ହଜାର, ସେଠି ଜଗନ ପତିଙ୍କର ଆକର୍ଷଣୀୟ ଅଫର ରହିଛି ମାତ୍ର ପନ୍ଦର ଶହ ଟଙ୍କାରେ ରହିବା ଖାଇବା ସବୁ । କିନ୍ତୁ କଲୋନୀରେ ରହିବାକୁ ହେଲେ ମାନିବାକୁ ପଡ଼ିବ ତାଙ୍କର କିଛି ସର୍ତ୍ତାବଳୀ ।

ଜଗନ ପତିଙ୍କ ଏଇ ସର୍ତ୍ତାବଳୀକୁ ମାଟିରେ ମିଶାଇବା ପାଇଁ କଲୋନୀରେ ଗଢ଼ିଉଠିଛି ‘ମହାରଣୀ ୱାର୍କିଂ ଓମେନ୍ ହଷ୍ଟେଲ୍’। ଆଉ ଏହାର ମାଲିକାଣୀ ହେଉଛନ୍ତି ଝୁଲଣ ମହାନ୍ତି। ପୁରୁଷ ଜାତିକୁ ସେ ଘୃଣା କରନ୍ତି । ତାଙ୍କ ହଷ୍ଟେଲରେ ରହିବାକୁ ହେଲେ ପୁଅଙ୍କ ଠାରୁ କୋଶେ ଦୂରରେ ରହିବାକୁ ପଡିବ । ଯେଉଁଠି ପୁଅ ଝିଅ ସାମ୍ନାସାମ୍ନି ରହୁଛନ୍ତି ସେଠି ଆଜିକାଲିକା ପିଲା କ’ଣ ସେମାନଙ୍କ ସର୍ତ୍ତକୁ ମାନି ଚଳିପାରିବେ? ଜଗନ ପତି ଆଉ ଝୁଲଣ ମହାନ୍ତିଙ୍କ ଭିତରେ ନିତିଦିନ ହେଉଥିବା ମଜାଦାର ଖିଟପିଟକୁ ନେଇ ଏହି ହାସ୍ୟରସାତ୍ମକ ଧାରାବାହିକଟି ଗତିଶୀଳ ।

‘ମଞ୍ଜରୀ’ ପକ୍ଷରୁ ନିର୍ମିତ ଏହି ହାସ୍ୟରସାତ୍ମକ ଧାରାବାହିକରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ କମେଡି କିଙ୍ଗ ପପୁ ପମପମ୍ ଆଉ ତାଙ୍କ ବିପକ୍ଷରେ ନଜର ଆସିବେ ଯାତ୍ରା ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା । ଦୁହିଁଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାଜୀବ ଲୋଚନ, ଟିକୁନା ଷ୍ଟାଇଲିସ ଆଉ ସୁଦୀପ୍ତ । ଚଳିତ ମାସ ୧୭ରୁ  ସୋମବାରରୁ ଗୁରୁବାର ରାତି ୯ଟା ୩୦ରେ ଏହାର ପ୍ରସାରଣ ହେବ ।

‘ମଞ୍ଜରୀ’ରେ ପ୍ରସାରିତ ମେଗା ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଏବଂ ‘ବୋହୂ ଆମର ଏନଆରଆଇ’ ପରି ଏହି ନୂଆ ହାସ୍ୟରସାତ୍ମକ ଧାରାବାହିକ ‘ବଜରଙ୍ଗୀ କଲୋନୀ’କୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।