କନକ ବ୍ୟୁରୋ: ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ନେଇ ବଡ଼ ସାମ୍ନାକୁ ଆସିଛି । ତାଙ୍କୁ କେହି ପଛରୁ ଠେଲି ଦେଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ । ମମତାଙ୍କ କପାଳରେ ଲାଗିଥିବା ଆଘାତ ଯୋଗୁ ୪ ଟି ଷ୍ଟିଚ୍ ପଡିଥିବା ସୂଚନା ମଳିଛି ।
ଗତକାଲି ସନ୍ଧ୍ୟାରେ ମମତା ଘରେ ବୁଲୁଥିବା ବେଳେ ପଡିଯାଇ ଆହତ ହୋଇଥିବା କୁହାଯାଉଥିଲା । କିନ୍ତୁ ଏବେ ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ଦୁର୍ଘଟଣା ନା ଷଡଯନ୍ତ୍ର ତାକୁ ନେଇ ଦ୍ୱନ୍ଦ ଥିବା ବେଳେ ଡାକ୍ତରଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମମତାଙ୍କୁ କେହି ପଛରୁ ଠେଲି ଦେଇଥିବା ଏସଏସ୍କେମ ହସ୍ପିଟାଲ ନିର୍ଦ୍ଦେଶକ ମାନିମୋଏ ବନ୍ଦୋପୋଧାୟ କହିଛନ୍ତି ।
ତେବେ ଏହା ଉପରେ ପଶ୍ଚିମବଙ୍ଗ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ମମତାଙ୍କ ଇସିଜି, ସିଟି ସ୍କାନ ସରିଥିବା ବେଳେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ତୃଣୂମୁଳ କଂଗ୍ରେସର ଆନୁଷ୍ଠାନିକ ସୋଶିଆଲ ମିଡିଆ ଆକାଉଂଟରେ ସୂଚନା ଦିଆଯାଇଛି । ମମତାଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ନେତା ।