ନୂଆ ସରକାରଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ: ପଟ୍ଟ ପରିବର୍ତ୍ତନ ପରେ ବଢିଛି ଲୋକଙ୍କ ଆଶା

435

କନକ ବ୍ୟୁରୋ: ରାଜ୍ୟରେ ମୋହନ ସରକାରଙ୍କ ପାଇଁ ଆଗକୁ କଣ ରହିବ ଚ୍ୟାଲେଞ୍ଜ । ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ପାରିତ କରିବା ପରଠୁ ଲୋକଙ୍କ ଆଶା ବଢି ଯାଇଛି । ନିର୍ବାଚନ ପ୍ରଚାର ବେଳେ ବିଜେପି କ୍ଷମତାକୁ ଆସିଲେ ଚିଟଫଣ୍ଡ ଟଙ୍କା ଫେରସ୍ତ, ଶହେ ଦିନରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ, ଦୁର୍ନୀତିଗ୍ରସ୍ତ, ନେତା ବାବୁଙ୍କ ଜେଲରେ ପୂରାଇବା ଭଳି ପ୍ରତିଶ୍ରୁତି ଦେଇଥିଲା । ଆଉ ଏବେ ସରକାର ଗଠନ ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ମୋହନ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

ବିଜେପି ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନ ବେଳେ ଦେଇଥିବା ୪ଟି ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରସ୍ତାବ ପାରିତ କରିଥିଲେ । ଏହାପରେ ରାଜ୍ୟରେ ନୂଆ ସରକାରଙ୍କଠାରୁ ଲୋକଙ୍କ ଆଶା ବଢି ଯାଇଛି । ତେଣୁ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ନୂଆ ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି ।

ଚ୍ୟାଲେଞ୍ଜ- ୧
ପ୍ରଥମ ପଦକ୍ଷେପ ଭାବେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲଛନ୍ତି ନୂଆ ସରକାର । ତେଣୁ ଲୋକେ ଆଶା କରୁଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବିଜେପି ଦେଇଥିବା ତାର ପ୍ରତିଶ୍ରୁତି ପୂରଣ କରିବ । ଆଉ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମୋହନ ସରକାରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ସେହିପରି ରତ୍ନଭଣ୍ଡାର ଚାବି ଖୋଜି ଆଣିବା ଓ ଡୁପ୍ଲିକେଟ୍ ଚାବି ସଂପର୍କିତ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାର ବଡ ଆହ୍ୱାନ ମଧ୍ୟ ରହିଛି ।

ଚ୍ୟାଲେଞ୍ଜ- ୨
ଦ୍ୱିତୀୟ ପ୍ରତିଶ୍ରୁତି ଭାବେ ଚାଷୀଙ୍କୁ ଧାନର ଏମଏସପି ୩୧୦୦ ଟଙ୍କା ଦେବାକୁ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ୧୦୦ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ସହ ଏଥିପାଇଁ ଆବଶ୍ୟକ ଅର୍ଥ ବରାଦ କରିବାର ଚ୍ୟାଲେଞ୍ଜ ମଧ୍ୟ ନୂଆ ସରକାରଙ୍କ ଆଗରେ ରହିଛି । କାରଣ ଅତିରିକ୍ତି ଟଙ୍କାର ବୋଝ ରାଜ୍ୟ ରାଜକୋଷ ଉପରେ ପଡିବ ।

ଚ୍ୟାଲେଞ୍ଜ- ୩
ସରକାରକୁ ଆସିବାର ୧୮ ମାସ ମଧ୍ୟରେ ଚିଟଫଣ୍ଡ ଟାଙ୍କ ଫେରସ୍ତ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ନିର୍ବାଚନ ସମୟରେ ଦେଇଥିବା ଏହି ପ୍ରତିଶ୍ରୁତିକୁ ପୂରଣ କରିବା ସହ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନ୍ୟାୟ ପ୍ରଦାନ କରିବା ସବୁୁଠୁ ବଡ ଚ୍ୟାଲେଞ୍ଜ ହୋଇପାରେ । ୨୦୧୨ ମସିହାରୁ ଟଙ୍କା ଫେରି ପାଇବାକୁ ଅନାଇ ବସିଥିବା କ୍ଷତିଗ୍ରସ୍ତଙ୍କ ବିଶ୍ୱାସ ଜିତିବାକୁ ନୂଆ ସରକାର କଣ କରୁଛନ୍ତି, ତା ଉପରେ ନଜର ରହିଛି ।

ଚ୍ୟାଲେଞ୍ଜ- ୪
ସରକାର ଶପଥ ନେବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ବିଜେପି ତାର ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । ତେଣୁ ପ୍ରାଥମିକତା ଭିତିରେ ଏହାକୁ ଲାଗୁ କରିବା ନୂଆ ସରକାରଙ୍କ ପାଇଁ ଯେତିକି ବଡ ଆହ୍ୱାନ, ପୁରୁଣା ସରକାରଙ୍କ ଅତି ଲୋକପ୍ରିୟ ବିଏସକେୱାଇ ଯୋଜନାର ଭବିଷ୍ୟତ ନେଇ ନିଷ୍ପତି ସେତିକି ଗୁରୁତ୍ୱ ରଖୁଛି ।

ଚ୍ୟାଲେଞ୍ଜ- ୫
ନିର୍ବାଚନ ପ୍ରଚାରବେଳେ ଘନଘନ ଗସ୍ତ କରି ପୂର୍ବ ସରକାର ଉପରେ ଜୋରଦାର ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଶାରେ କ୍ଷମତାକୁ ଆସିଲେ ଦୁର୍ନୀତିଗ୍ରସ୍ତଙ୍କ ଅଂଟା ଭାଙ୍ଗିଦେବାକୁ ଚେତାବନୀ ଦେଇଥିଲେ । ବାବୁରାଜକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଥିବାରୁ ଦୁର୍ନୀତିରେ ଲିପ୍ତ ନେତା ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଜେଲ ପଠାଇବା ଏବେ ନୂଆ ସରକାରଙ୍କ ଆଗରେ ଆଉଏକ ଆହ୍ୱାନ ବୋଲି ବିଚାର କରାଯାଉଛି ।