କନକ ବ୍ୟୁରୋ : ନକଲି ଡାକ୍ତର ରମେଶ ସ୍ୱାଇଁ ଜାଲି କାରବାର କରି, ଜଣେ ଅସଲି ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ଆଜି ଏହି ଠକେଇ କାହାଣୀ ଆଗକୁ ଆସିଛି । ମହିଳା ଡାକ୍ତର ବାହା ହେଉଥିବା ବେଳେ ନଣନ୍ଦ ପୁଟୁଳି ନେବାକୁ ପହଞ୍ଚିଥିଲେ, ରମେଶଙ୍କ ଭଉଣୀ ସସ୍ମିତା । ଆଜି ସେହି ସମୟର ଫୋଟକୁ ପୁଲିସକୁ ଦେଇଛନ୍ତି ମହିଳା ଡାକ୍ତର ।

ନକଲି ଡାକ୍ତର ରମେଶ ସ୍ୱାଇଁ ଆଲବମର ଇଏ ହେଉଛି ଏକ ଫଟୋ । ଏହି ଫଟୋ ହିଁ ବୟାନ କରୁଛି ରମେଶର ପୁରା ପରିବାର କେମିତି ଏହି ଲୁଟପାଟରେ ସାମିଲ ଥିଲେ । ଫଟୋରେ ଯେଉଁ ମହିଳା ହାତରେ ପୂଜା ଥାଳି ଧରି ବନ୍ଦାପନା ପାଇଁ ଛିଡା ହୋଇଛନ୍ତି, ଆଉ ନୂଆ ବୋହୂଙ୍କ ଗୃହ ପ୍ରବେଶ ପୂର୍ବରୁ ନଣନ୍ଦ ପୁଟୁଳି ପାଇବା ପାଇଁ ବାଟ ଜଗିଛନ୍ତି, ସେ ହେଉଛନ୍ତି ଠକ ରମେଶର ଭଉଣୀ ରଶ୍ମୀତା । ଆଉ ରଶ୍ମୀତାଙ୍କ ପାଖରେ ରହିଛନ୍ତି ଠକ ରମେଶ, ଆଉ ଫଟୋରେ ଥିବା ଅନ୍ୟ ମହିଳା ଜଣଙ୍କ ହେଉଛନ୍ତି ରମେଶଙ୍କ ୧୮ ସ୍ତ୍ରୀ ଭିତରୁ ଜଣେ । ଯିଏ ନଣନ୍ଦ ପୁଟୁଳି ବାବଦକୁ ସୁନା, ଗହଣା, ମୋବାଇଲ ଓ ଦାମୀ ଶାଢୀ ଦେଇ ଘର ଭିତରେ ପ୍ରବେଶ କରିଥିଲେ ।

୩୧ ମେ ୨୦୨୧ । ଆସାମ ଗୌହାଟିର କାମାକ୍ଷା ମନ୍ଦିରରେ ଜଣେ ସରକାରୀ ମହିଳା ଡାକ୍ତରଙ୍କୁ ବିବାହର ଜାଲ ବିଛାଇଥିଲା ଏଥିପାଇଁ ଠକ ରମେଶ ବିବାହ କାର୍ଡ ଛପାଇବା ବେଳେ ନିଜକୁ ବିଜୟଶ୍ରୀ ରମେଶ କୁମାରର ପରିଚୟ ଦେଇଥିଲା । କାର୍ଡ ଛପାଗଲା, ଅତିଥିଙ୍କୁ ନିମନ୍ତ୍ରଣ କରାଗଲା । ଆଉ କୋଭିଡ କଟକଣାର ବାହାନା ଦେଖାଇ ପରିବାର-ପରିବାର ଭିତରେ ବାହାଘର କରାଗଲା । ଏହି ବାହାଘରରେ ଠକ ସର୍ଦ୍ଦାର କ୍ରାଇମ ପାର୍ଟନର ପାଲଟିଥିଲେ ତାର ଭିଣୋଇ ଗଣେଷ ଓ ଡ୍ରାଇଭର ପପୁ । ଗୌହାଟିରୁ ଭୁବନେଶ୍ୱର ଫେରିବା ପରେ ଏକ ଆପାର୍ଟମେଣ୍ଟରେ ଠକକୁ ଠକେଇରେ ସହଯୋଗ କରିବା ପାଇଁ ଅପେକ୍ଷା କରି ରହିଥିଲେ ଠକର ସାବତ ମା’, ଭଉଣୀ ଓ ପୂରୋହିତ । ଆଉ ଭୁବନେଶ୍ୱର ପହଞ୍ଚିବା ପରେ ରମେଶ ଆରମ୍ଭ କରିଥିଲା ଅପରେସନ ଲୁଟ୍ । ଗୌହାଟିରେ ଫ୍ଲାଟ୍ ଦେବା ନାଁରେ ମହିଳା ଡାକ୍ତରଙ୍କଠାରୁ ୨୧ ଲକ୍ଷର ଚୂନା ଲଗାଇଥିଲା ।

ରମେଶର ୧୮ ପତ୍ନୀଙ୍କ ଭିତରୁ ଏବେ ସୁଦ୍ଧା ୫ ଜଣ ମହିଳା ଥାନାରେ ଅଭିଯୋଗ କରିଥିବା ବେଳେ ଅନ୍ୟମାନେ ଲୋକଲଜ୍ୟା ଭୟରେ ସାମ୍ନାକୁ ଆସୁନାହାନ୍ତି । ଏ ଠକ ସର୍ଦ୍ଦାରର ଭଉଣୀ ଗିରଫ ହୋଇଛି । ଭିଣୋଇ ଓ ଡ୍ରାଇଭରକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଆଉ ସ୍କାନରରେ ରହିଛି ସାବତ ମା’ ।