ପଞ୍ଜାବ କଂଗ୍ରେସରେ ଆସିଲେ କି ନୂଆ କ୍ୟାପ୍ଟେନ । ସିଦ୍ଧୁଙ୍କ ପିସିସି ସଭାପତି ନିଯୁକ୍ତି ପରେ ବଡ ଧରଣର ବିବାଦ ନେଇ ଆଶଙ୍କା!

177

କନକ ବ୍ୟୁରୋ: ପଂଜାବ କଂଗ୍ରେସରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ନେଲେ ବଡ ନିଷ୍ପତ୍ତି । ଯେଉଁଥିରେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ଦାୟିତ୍ୱ ମିଳିବା ପରେ ଗାନ୍ଧୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ନବଜୋତ ସିଂହ ସିଦ୍ଧୁ ।

ପଂଜାବ କଂଗ୍ରେସର ଅଧ୍ୟକ୍ଷ ହେବା ପରେ କିଛି ଏପରି ଖୁସି ମନାଉଛନ୍ତି ନବଜୋତ ସିଂହ ସିଦ୍ଧୁ । ନିଜ ସମର୍ଥକଙ୍କ ଗହଣରେ ଖୁସିରେ ଜଶନ କରୁଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା । ଅନେକ ଦିନ କସରତ, ଦିଲ୍ଲୀରେ ହାଇ କମାଣ୍ଡଙ୍କ ପାଖରେ ଗୁହାରି ପରେ ଶେଷରେ ସିଦ୍ଧୁଙ୍କୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହି ଦାୟିତ୍ୱ ମିଳିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବତ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ । ଏହାସହ କହିଛନ୍ତି ଏବେ ଠାରୁ ତାଙ୍କର ପ୍ରକୃତ ରାଜନୀତି ଜୀବନ ଆରମ୍ଭ ହୋଇଛି ।

ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଗାନ୍ଧୀ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ । ହେଲେ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଆଲୋଚନା ଆଦୌ କରି ନାହାଁନ୍ତି । ଯାହା ଲାଗୁଛି ଏବେବି କ୍ୟାପ୍ଟେନଙ୍କ ଉପରେ ଖପ୍ପା ଅଛନ୍ତି ସିଦ୍ଧୁ ।

କଳି ଭିତରେ ଏବେ ନବଜୋତ ସିଦ୍ଧୁ ପଂଜାବ ପ୍ରଦେଶ କଂଗ୍ରେସର ନୂଆ ସଭାପତି ହୋଇଛନ୍ତି । ଏଥିସହ ୪ଜଣ ନୂଆ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମଧ୍ୟ ମିଳିଛି । ଏହି ଘୋଷଣା କରିବା ପରେ ସିଦ୍ଧୁଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୋମବାର ନିଜ ସରକାରୀ ବାସଭବନରେ ମଧ୍ୟାହ୍ନ ଭୋଜି ଆୟୋଜନ କରି ନିଜ ସମର୍ଥକଙ୍କ ସହ ଖୁସି ମନାଇଛନ୍ତି ସିଦ୍ଧୁ । ହେଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନାହିଁ । ସେପଟେ କ୍ୟାପଟେନ ଅମରିନ୍ଦ୍ର ସିଂ ଜୁଲାଇ ୨୧ରେ ଆୟୋଜନ କରିଥିବା ମଧ୍ୟାହ୍ନ ଭୋଜନରେ ସମସ୍ତ କଂଗ୍ରେସ ନେତା ଓ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ମାତ୍ର ସିନ୍ଧୁଙ୍କୁ ନିମନ୍ତ୍ରଣ କରିନାହାନ୍ତି । ଯାହାକି ସୁଚାଇ ଦେଉଛି ଏମାନଙ୍କ ଭିତରେ ବିବାଦର ଏବେ ବି ସମାଧାନ ହୋଇନାହିଁ ।

ଦୀର୍ଘ ଦିନ ହେବ କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଆଉ ଆଗକୁ ଆସୁଛି ପଂଜାବ ବିଧାନସଭା ନିର୍ବାଚନ । ଶେଷରେ ବିବାଦର ସମାଧାନ ପାଇଁ ସିଦ୍ଧୁଙ୍କୁ ପଂଜାବ କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଛି । ଆଉ କଂଗ୍ରେସ ହାଇକମାଣ୍ଡଙ୍କ ଏହି ନିଷ୍ପତି ବିବାଦକୁ କମାଇବା କି ବଢାଇବ ସେକଥା ଆଗକୁ ଜଣାପଡିବ ।