କନକ ବ୍ୟୁରୋ : ଲାଲ ଗଡ଼କୁ ଦଖଲ କଲେ ବିଏସଏଫ ଯବାନ । ସ୍ୱାଭିମାନ ଅଂଚଳର ଶେଷ ସୀମାରେ ପହଂଚିଲା ବିଏସଏଫ । ମାଓବାଦୀଙ୍କ ଶେଷଗଡ କୁହାଯାଉଥିବା ଯନ୍ତ୍ରୀ ପଂଚାୟତରେ ପହଂଚିଛି ବିଏସଏଫ ଯବାନଙ୍କ କ୍ୟାମ୍ପ । ଯାହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀଠାରେ ଆଜି ବିଏସ୍ଏଫ୍ର ନୂଆ କ୍ୟାମ୍ପ୍ ସ୍ଥାପନ ହୋଇଛି। ଏହାପରେ ସଂପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳ ବିଏସ୍ଏଫ୍ ଯବାନଙ୍କ କବ୍ଜାରେ ରହିଥିଲାବେଳେ ଖୁବ୍ଶୀଘ୍ର ସ୍ବାଭିମାନ ଅଞ୍ଚଳ ସଂପୂର୍ଣ୍ଣ ମାଓ ମୁକ୍ତ ହେବ ବୋଲି କୁହାଯାଇଛି। ଆଜି ଯନ୍ତ୍ରୀଠାରେ ବିଏସ୍ଏଫ୍ କ୍ୟାମ୍ପ୍ ପ୍ରତିଷ୍ଠା ସମୟରେ ମାଲକାନଗିରି ଏସ୍ପି ନିତେଶ ଵାଧଵାନୀ, ବିଏସଏଫ କମାଣ୍ଡାଣ୍ଟ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏଠାରେ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।
ସୂଚନା ଥାଉକି, ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୧୫୧ଟି ଗ୍ରାମ ନକ୍ସଲଙ୍କ ଇସାରା ଏବଂ ଆଇନ କାନୁନରେ ଚାଲୁଥିଲା। ଏପରିକି ୨୦୧୧ମସିହାରେ ନକ୍ସଲ ମାଲକାନଗିରି ଜିଲ୍ଲାପାଳ ଭିନିଲ କ୍ରୀଷ୍ଣାଙ୍କୁ ଅପହରଣ କରିନେବାରେ ସଫଳ ହୋଇଥିଲେ। ଏହାପରେ ସରକାର ତତ୍ପରତା ଦେଖାଇ ବିଚ୍ଛିନ୍ନ ହୋଇରହିଥିବା ୯ଟି ପଞ୍ଚାୟତକୁ ଯୋଗାଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କଲେ। ପରେ ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ସୁରକ୍ଷିତ ଜୀବନ ବିତାଇବାକୁ ସୁଯୋଗ ଦେଲେ। ସ୍ବାଭିମାନ ଅଞ୍ଚଳର ୭ଟି ସ୍ଥାନରେ ବିଏସ୍ଏଫ୍ କ୍ୟାମ୍ପ୍ ପ୍ରତିଷ୍ଠା ହୋଇଥିବା ବେଳେ ସୀମାନ୍ତ ଯନ୍ତ୍ରୀରେ କ୍ୟାମ୍ପ୍ ପ୍ରତିଷ୍ଠା ହୋଇପାରିନଥିଲା।