ପୋଲିଓ ଖାଇ ୨୦ ଦିନର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ତିନି ଝିଅ ପରେ ହୋଇଥିଲା ପୁଅ । ଅଧାରେ ରହିଲା ଏକୋଇର ବୋଳା ବିଶିକେଶନର ଏକୋଇଶିଆ । ରାଜନଗରରୁ ଆସିଲା ଆଖିଭିଜା ଘଟଣା…

8,063

କନକ ବ୍ୟୁରୋ: ଏ ଧର୍ଯ୍ୟହରା କାନ୍ଦ, ଛାତିଫଟା ଚିତ୍କାର, ବେଦନା ଭରା ଲୁହ ଆଉ ମାଟିରେ ମୁଣ୍ଡପିଟି ଭାଗ୍ୟ ଭଗବାନକୁ ଧିକାର କରୁଥିବା ଏ ମାଆର ଲୁହ ପଛର କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ, ଏ କାହାଣୀ ଶୁଣିଲା ପରେ ଆପଣ ବି କହିବେ ହାଏରେ ବିଧାତା ତୁ ଏ କି କଲୁ…

ଲକ୍ଷେ ଶିବ ପୂଜି ପାଇଥିଲା ପୁଅ । ୧୨ ଓଷା, ୧୩ ବ୍ରତ ପରେ ମାଆ କୋଳକୁ ଆସିଥିଲା ପୁଅଟିଏ । ତିନି ତିନିଟି ଝିଅ ପରେ ଘରେ ପୁଅଟିଏ ଜନ୍ମ ହୋଇଥିବାରୁ ଖୁସିରେ ଫାଟି ପଡୁଥିଲା ଘର । ବାପାମାଆଙ୍କର ପାଦ ମାଟିରେ ଲାଗୁନଥିଲା । ଆଉ ଭାଇକୁ ପାଇ ଭାରି ଖୁସିଥିଲେ କୁନି କୁନି ଭଉଣୀ । ବିବାହର ଦୀର୍ଘ ବର୍ଷ ପରେ ପୁତ୍ର ସନ୍ତାନ ଲାଭ କରିଥିବାରୁ ମାଆ ଯଶୋଦା ତା କଳା କାହ୍ନୁର ନାଁ ମନ୍ତ୍ରୀ ଦେବ ବୋଲି ମନସ୍ତ କରିଥିଲା । ହେଲେ ମାଆର ଖୁସିରେ ଲାଗିଗଲା ଆଉ କାହାର ନଜର । ପୁଅ ଜନ୍ମର ମାତ୍ର ୨୦ ଦିନ ପରେ ଆଖି ବୁଜିଲା କଅଁଳ ଶିଶୁ । ଆଉ ଅଧାରେ ରହିଗଲା ଏକୋଇରବୋଳା ବିଶି କେସନର ଏକୋଇଶିଆ ।

କେନ୍ଦ୍ରାପଡା ରାଜନଗର ବଳରାମପୁର ଗାଁର ଏ ହୃଦୟବିଦାରକ ଖବର ଯେତିକି ଯନ୍ତ୍ରଣା ଦାୟକ ସେତିକି ଆଶ୍ଚର୍ଯ୍ୟଜନକ । କାରଣ ଏଠି ପୋଲିଓ ଖାଇ କଅଁଳା ପିଲା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରଞ୍ଜନ ମଲ୍ଲିକଙ୍କ ନବଜାତ ଶିଶୁକୁ ପୋଲିଓ ଦେବା ପରେ ତାର ଜୀବନ ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ବାପାମାଆ । ଜନ୍ମ ପରେ ଶିଶୁ ଦେହରେ ଜ୍ୱର ଥିବାରୁ ତାକୁ ଇଞ୍ଜେକସନ ଦିଆଯାଉଥିଲା । ମାତ୍ର ଆଶା ଦିଦି ପୋଲିଓ ଦେଲେ କିଛି ହେବନି କହି ୩୧ ତାରିଖ ଦିନ ପୁଅକୁ ପୋଲିଓ ଖୁଆଇଥିଲେ । ହେଲେ ପୋଲିଓ ଖାଇବାର ମାତ୍ର ୨୦ ମିନିଟ ପରେ ପୁଅ ଅସୁସ୍ଥ ହୋଇପଡିଥିଲା ଆଉ ତାର ମୃତ୍ୟୁ ହୋଇଥିଲା ।

ସେପଟେ ପୁଅର ଏକୋଇଶିଆ ପାଇଁ ଘରେ ସବୁ ବ୍ୟବସ୍ଥା ସରିଥିଲା । ଚଉରାରେ ରଙ୍ଗ ଦିଆ ସରିଥିଲା, ଟେଣ୍ଡ ପାଇଁ ବାଉଁଶ ବି ଆସିଥିଲା, ବନ୍ଧୁ ବାନ୍ଧବ, ସାହି ପଡିଶା ସମସ୍ତଙ୍କୁ ନିମନ୍ତ୍ରଣ ସରିଥିଲା । ହେଲେ ଯାହା ଆଗମନୀରେ ଏ ଖୁସି ଘର ଅଗଣାରେ ଖେଳୁଥିଲା ଆଜି ନିମିଶକରେ ସେସବୁ ମାଟିରେ ମିଶିଗଲା । ପୁଅକୁ ଖୋଜି ଖୋଜି ମାଆ ପାଗେଳି ପ୍ରାୟ । କଣ କହୁଛି କିଛି ବି ଜାଣି ପାରୁନି । ମୃତ୍ୟୁ ପରେ ବି ମାଆକୁ ଲାଗୁଛି ତା ପୁଅ ଏବେବି ବଞ୍ଚିଛି । ସେପଟେ ଭାଇର ସଜ୍ଞା କଣ ବୁଝିନଥିବା ଏ କୁନି ଭଉଣୀ ଭାଇକୁ ହରାଇ ଆଖିରୁ ଲୁହ ନିଗାଡୁଛି । ପୋଲିଓ ଖାଇ କୁନି ପୁଅର ମୃତ୍ୟୁ ହୋଇଛି କି ଅନ୍ୟ କାରଣରୁ ତାହା ତ ସମୟ କହିବ । ହେଲେ ଏକୋଶିଆ ପାଇଁ ଘରେ ଯେଉଁ ଖୁସି ଫେରିଥିଲା ତାହା ଉଭେଇଗଲା । ସତରେ ଏ କଷ୍ଟ ଆଉ କାହା ଜୀବନରେ ନଆସୁ ।