ଭୋପାଳରେ ଭୟଙ୍କର ଅଗ୍ନିକାଣ୍ଡ: କମଳା ନେହେରୁ ହସ୍ପିଟାଲରେ ଶିଶୁ ରୋଗ ବିଭାଗରେ ନିଆଁ ଲାଗି ୪ ନବଜାତ ଶିଶୁ ଜୀବନ୍ତ ଦଗ୍ଧ

78

କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ବଡ ଅଘଟଣ । ସୋମବାର ବିଳମ୍ବିତ ରାତିରେ ଭୋପାଲ କମଲା ନେହେରୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୪ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡାକ୍ତରଖାନାର ପେଡିଆଟ୍ରିକ୍ ବିଭାଗର ଆଇସିୟୁରେ ନିଆଁ ଲାଗି ଏଭଳି ଅଘଟଣ ଘଟିଛି ।

ଭୋପାଳ ସ୍ଥିତ ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ବିଭାଗରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ବିଳମ୍ବିତ ରାତିରେ ଡାକ୍ତରଖାନାର ଶିଶୁରୋଗ ବିଭାଗର ଏସଏନ୍ସିୟୁରେ ଅଗ୍ନିକାଣ୍ଡ ଘଟି ୪ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏସଏନସିୟୁରେ ୪୦ ଜଣ ଶିଶୁ ଭର୍ତି ହୋଇଥିଲେ । ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ପରେ ତୁରନ୍ତ ହସ୍ପିଟାଲ କତୃପକ୍ଷ ୩୬ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ । ତେବେ ୪ ଜଣ ନବଜାତଙ୍କୁ ସମୟ ଭିତରେ ବଂଚାଇବାରେ ସଫଳ ହୋଇପାରି ନଥିଲେ ହସ୍ପିଟାଲ କର୍ତୃପକ୍ଷ । ଯାହାକୁ ନେଇ ମୃତ ଶିଶୁଙ୍କ ପରିବାର ଲୋକେ ଡାକ୍ତରଖାନା ବାହାରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱାସ କୈଳାଶ ସରଙ୍ଗ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଶିଶୁ ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ ।

ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ପଛର କାରଣ ଖୋଜିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚୌହ୍ୱାନ । ଅନ୍ୟପଟେ ଅଗ୍ନିକାଣ୍ଡକୁ ଅତ୍ୟନ୍ତ ଭୟଙ୍କର କହିବା ସହ ଏଥିପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ତେବେ ଅଗ୍ନିକାଣ୍ଡ ପଛର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବାବେଳେ ସର୍ଟସର୍କିଟ କାରଣରୁ ଏସଏନସିୟୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି ।