କରୋନା ଭିତରେ ଆସିଲା ଭଲ ଖବର : ଭେଂଟିଲେଟରରେ ଥାଇ କୋଭିଡ୍‌ ପଜିଟିଭଙ୍କ ପ୍ରସବ; ଉଭୟ ମା’ ଓ ଶିଶୁ ସୁସ୍ଥ

Advertisment
କରୋନା ଭିତରେ ଆସିଲା ଭଲ ଖବର : ଭେଂଟିଲେଟରରେ ଥାଇ କୋଭିଡ୍‌ ପଜିଟିଭଙ୍କ ପ୍ରସବ; ଉଭୟ ମା’ ଓ ଶିଶୁ ସୁସ୍ଥ

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଜଣେ ମହିଳା ଭେଣ୍ଟିଲେଟର୍‌ ସପୋର୍ଟରେ ଥାଇ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ଫୁଲବାଣୀ ବ୍ଲକ୍‌ର କଟ୍ରିଙ୍ଗିଆ ପଞ୍ଚାୟତର କିଲୁପାଙ୍ଗା ଗ୍ରାମର ଏହି ୩୮ ବର୍ଷୀୟା ଗର୍ଭବତୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ ସପୋର୍ଟରେ ରଖା ଯାଇଥିଲା। ଏପରିକି ତାଙ୍କର ଏସ୍‌ପିଓ ୨ ଲେବଲ୍‌ ୫୫ ପ୍ରତିଶତ ହୋଇ ଯାଇଥିଲା । ଏଭଳି ଜଟିଳ ସ୍ଥିତିରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କ ଚିକିତ୍ସା ଚଳାଇଥିଲେ ।

ଗତକାଲି ରାତି ୧୨ଟା ବେଳେ ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା ଏବଂ ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର କରିଥିଲେ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ମା’କୁ ଆଇସିୟୁରେ ରଖା ଯାଇଥିବା ବେଳେ ଶିଶୁକୁ ଏସ୍‌ଏନ୍‌ସିୟୁରେ ରଖାଯାଇଛି । ଡାକ୍ତରମାନେ ନିୟମିତ ମା’ ଓ ଶିଶୁଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ କରୁଛନ୍ତି। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସତ୍ୟ ନାରାୟଣ ସାମଲ ଏବଂ ଷ୍ଟାଫ୍‌ ନର୍ସ ବିଜେତା ଦିଗାଲଙ୍କ ସହଯୋଗରେ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ ସମ୍ଭବ ହୋଇପାରିଛି ।

ଡାକ୍ତର ସାମଲ ଏହା ପୂର୍ବରୁ ୨୦ ଜଣ କୋଭିଡ୍‌ ପଜିଟିଭ୍‌ ଗର୍ଭବତୀଙ୍କ ସଫଳ ପ୍ରସବ କରାଇ ସାରିଲେଣି। ଡାକ୍ତର ସାମଲ ପୂର୍ବରୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିଲେ। ମାତ୍ର କୋଭିଡ୍‌ ଦ୍ବିତୀୟ ଲହର ବେଳେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇଛି । ଡାକ୍ତର ସାମଲଙ୍କ ଏ ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe