ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୂଆବୋହୂଙ୍କ ନିବେଦନ । ପକ୍କା ଘର ଯୋଗାଇ ଦେବାକୁ ଅନୁରୋଧ କଲେ ଲିପ୍ସା ଭୋଇ

204

ମାନନୀୟ ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦୀ

ମୁଁ ଲିପ୍ସା ଭୋଇ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଛି । ମୋ ସ୍ୱାମୀ ଚାଷ କରନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ରତନପୁର ଗ୍ରାମ ୫ ନମ୍ବର ୱାର୍ଡ ପାରବସ୍ତ ସାହିରେ ଘର । ଏହି ଗାଁରେ କେବେ ସୂର୍ଯ୍ୟ ଉଦୟ ହୋଇନାହିଁ । ଗାଁକୁ ଭଲ ରାସ୍ତାଟିଏ ନାହିଁ । ପିଇବା ପାଇଁ ଭଲ ପାଣି ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗାଁରେ ଗୋଟିଏ ହେଲେ ପକ୍କାଘର ନାହିଁ । ଗାଁର ୧୫୦ ଦଳିତ ଲୋକ କୁଡ଼ିଆ ଘରେ ରହୁଛନ୍ତି । ୯ ମାସ ତଳେ ଏହି ଗାଁକୁ ମୁଁ ବୋହୂ ହୋଇ ଆସିଛି । ହେଲେ କିଛି ପରିବର୍ତ୍ତନ ଆସିନି । ଭବିଷ୍ୟତରେ ମୋର ପିଲାଛୁଆ ହେବେ, ସେମାନେ କ’ଣ କୁଡ଼ିଆରେ ରହିବେ? କ’ଣ ପକ୍କା ଘର ଦେଖିପାରିବେନି?

ଇତି

ଆପଣଙ୍କ ବୋହୂ

ଲିପ୍ସା ଭୋଇ

ଏ ହେଉଛି ଜଣେ ଝିଅର ଦୁଃଖ, ଜଣେ ବୋହୂର କୋହ । କେତେ ଆଶା କରି ବାପା ଘର ଛାଡ଼ି, ଶ୍ୱଶୁର ଘର ଆସିଥିଲେ । ଭଲ ସାଥୀଟିଏ ପାଇଲେ, ମନ ବୁଝୁଥିବା ପରିବାରଟିଏ ପାଇଲେ ସତ, ହେଲେ ମନ ମାନିଲାନି । କାରଣ, ଗାଁକୁ ରାସ୍ତା ନାହିଁ, ପିଇବା ପାଇଁ ପାଣି ଟିକେ ନାହିଁ । ଅଧିକାଂଶ ଦଳିତ ପରିବାର ରହୁଥିବା ଏହି ଗାଁରେ କାହାରି ଘରେ ଛାତଟିଏ ନାହିଁ । କୁଡ଼ିଆ ଘରେ ସ୍ୱପ୍ନ ବୁଣିବା ଆଉ ସମ୍ଭବ ହେଲାନି । ଗାଁର ସ୍ଥିତି ସୁଧାରିବା ପାଇଁ ନିଜେ ଅଂଟା ଭିଡ଼ିଲେ । ସରପଞ୍ଚଠୁ ଆରମ୍ଭ କରି ସରକାରୀ ଅଧିକାରୀ, ବିଡିଓଠୁ ଆରମ୍ଭ କରି ବଡ଼ ବଡ଼ ବାବୁ । ସମସ୍ତଙ୍କୁ ଜଣାଇବା ପରେ ବି ସୁଧୁରିଲାନି ସ୍ଥ୍ିତି । ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ଲିପ୍ସା ଭୋଇ ।

ଲିପ୍ସା, ପାରବସ୍ତ ସାହିକୁ ବୋହୂ ହୋଇ ଆସିବାକୁ ୯ ମାସ ବିତିଯାଇଛି । ହେଲେ ଗାଁରେ କିଛି ପରିବର୍ତନ ଆସି ନାହିଁ । ଲିପ୍ସା ଚାହୁଁ ନାହାଁନ୍ତି, ଭବିଷ୍ୟତରେ ତାଙ୍କ ପିଲାଛୁଆ ଏମିତି କୁଡ଼ିଆ ଘରେ ବଡ଼ ହୁଅନ୍ତୁ । ତେଣୁ ବହୁତ ଆଶା ରଖି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଆଉ ଲିପ୍ସାଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।