ନୂଆ ସରକାର, ନୂଆ ରୂପ: ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ଖୁବଶୀଘ୍ର ବଦଳିପାରେ ନବମ ଦଶମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ । ବିଜେଡି ସରକାର ବେଳେ ବିରୋଧ କରିଥିଲା ବିଜେପି…

810

କନକ ବ୍ୟୁରୋ: ବଦଳିପାରେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ । ଏ ନେଇ ଆଲୋଚନା କରାଯାଉଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କିଛି ଦିନ ତଳେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ କରାଯାଇଥିଲା । ଧଳା ସହ ସବୁଜ ରଙ୍ଗ ଥିଲା । ହେଲେ ଏହାକୁ ପୁଣି ପରିବର୍ତ୍ତନ କରାଯିବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ । ପୂର୍ବ ସରକାର ସମୟରେ ଏଭଳି ରଙ୍ଗ ପରିବର୍ତ୍ତନକୁ ବିରୋଧ କରିଥିଲା ବିରୋଧୀ ଆସନରେ ଥିବା ବିଜେପି । ବିଶେଷକରି ସବୁଜ ରଙ୍ଗକୁ ବିରୋଧ କରିଥିଲା ଦଳ । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲା ବିଜେପି । ଏବେ ସରକାର ବଦଳିବା ପରେ ୟୁନିଫର୍ମ ରଙ୍ଗ ବଦଳିବା ନେଇ ଚର୍ଚ୍ଚା ଚାଲିଛି । ଏଭଳି ହେଲେ

-ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଲାଗୁ ହୋଇପାରେ ନୂଆ ୟୁନିଫର୍ମ
-ନବମ , ଦଶମ ଶ୍ରେଣୀ ପାଇଁ ନୂଆ ୟୁନିଫର୍ମ ଲାଗୁହେବ
-ପ୍ରାଥମିକ,ଉଚ୍ଚ ପ୍ରାଥମିକ ସ୍କୁଲରେ ୟୁନିଫର୍ମ ବର୍ତ୍ତମାନ ପାଇଁ ଅପରିବର୍ତ୍ତିତ ରହିବ

ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ
ନୂଆ ନାଁ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଗତ ବିଜେଡି ସରକାରର ଡ୍ରିମ ପ୍ରୋଜେକ୍ଟ ‘ଲକ୍ଷ୍ମୀ ବସ୍’ର ନାଁକୁ ବି ଶୀଘ୍ର ବଦଳାଇବାକୁ ଯାଉଛନ୍ତି ନୂଆ ବିଜେପି ସରକାର । ଏହା ବଦଳି ନୂଆ ନାଁ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ । ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା । ପ୍ରତ୍ୟେକ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ପୂର୍ବ ନବୀନ ସରକାର ଏହି ଯୋଜନା କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା ।

ନୂଆ ସରକାର ଆସିବା ପରେ ରାଜ୍ୟର ଅନେକ ସ୍ଥାନରେ ଲକ୍ଷ୍ମୀ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି । ଏବେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିବା ପରେ ଦୀର୍ଘ ୩ ସପ୍ତାହ ଧରି ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି ।