ନଗଡାରେ ବେସରକାରୀ ବ୍ୟାଙ୍କ୍ ଖୋଲିଲେ ପ୍ରବାସୀ ଓଡ଼ିଆ ସତ୍ୟ । ବ୍ୟାଙ୍କ୍ ଉପରେ ରହିବନି କାହାର ମାଲିକାନା, ବିନା ସୁଧରେ ଟଙ୍କା ନେଇପାରିବେ ନଗଡାବାସୀ

255

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ନଗଡା । କିଛି ବର୍ଷ ପୂର୍ବେ ଶିଶୁ ମୃତ୍ୟୁର ଉପତ୍ୟକା ପାଲଟିଥିବା ନଗଡାକୁ ନେଇ ରାଜ୍ୟ ସମେତ ଦେଶରେ ଚର୍ଚ୍ଚା ହୋଇଥିଲା । ଆଉ ବିଭିନ୍ନ ଗଣମାଧ୍ୟମରେ ଶିଶୁ ଅପମୃତ୍ୟୁର ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଥିଲା । ଉପାନ୍ତ ଓ ଅପହଞ୍ଚ ନଗଡାରେ ପ୍ରଥମଥର ପହଞ୍ଚିଥିଲା ସରକାରୀ ସହାୟତା । ନଗଡାର ଭାଗ୍ୟ ବଦଳିବା ନେଇ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ଶିଶୁ ମୃତ୍ୟୁ ଘଟଣାର ଦୀର୍ଘ ଦିନ ପରେ ମଧ୍ୟ ନଗଡାବାସୀଙ୍କ ନିକଟରେ ପହଞ୍ଚି ପାରିନାହିଁ ସମସ୍ତ ସରକାରୀ ସୁବିଧା । କିନ୍ତୁ ନଗଡାବାସୀଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାକୁ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ସତ୍ୟ ସୁତାର ନାମକ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି ।

ନଗଡାର ଜୁଆଙ୍ଗ ଲୋକଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବାକୁ ସହଯୋଗର ହାତ ବଢାଇଛନ୍ତି ସତ୍ୟ । ନଗଡାବାସୀଙ୍କ ଉଦ୍ଦେଶ୍ୟରେ ନଗଡା ବ୍ୟାଙ୍କ ଖୋଲିବା ସହ ମୂଳ ପୁଞ୍ଜି ଆକାରରେ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି ସତ୍ୟ । ଏହି ଅର୍ଥକୁ ସେମାନେ ସ୍ୱାଧୀନ ଭାବରେ ପରସ୍ପର ମଧ୍ୟରେ ନେଣଦେଣ କରିପାରିବେ ବୋଲି କହିଛନ୍ତି ସତ୍ୟ ।

ଚାଷବାସ କିମ୍ବା ଅନ୍ୟ କୌଣସି ଛୋଟମୋଟ ବ୍ୟବସାୟରେ ଏହି ଅର୍ଥକୁ ନଗଡାବାସୀ ବିନିଯୋଗ କରିପାରିବେ ଏବଂ ଏଥିପାଇଁ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏଥିସହ ଏହି ପାଣ୍ଠିକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନକୁ ମଧ୍ୟ ଆର୍ଥିକ ସହାୟତା କରିବାକୁ ସେ ନିବେଦନ କରିଛନ୍ତି । ଏହି ବ୍ୟାଙ୍କ ଉପରେ କାହାର ମାଲିକାନା ରହିବ ନାହିଁ । ଗ୍ରାମବାସୀ ପରସ୍ପର ମଧ୍ୟରେ ଆଲୋଚନା କରି ଟଙ୍କା ନେଣଦେଣ କରିପାରିବେ । ନଗଡାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସେମାନେ ନିଜେ ସ୍ବାବଲମ୍ବୀ ହୋଇପାରୁନାହାନ୍ତି । ଗଣମାଧ୍ୟମରୁ ଏ ସମ୍ପର୍କରେ ଅବଗତ ହୋଇ ସେ ବିଶେଷ ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି ସତ୍ୟ ।