ଲଦାଖରେ ବିଯୁକ୍ତ ତାପମାତ୍ରାରେ ସହଜରେ ରହିବେ ଯବାନ । ସରକାର ନିର୍ମାଣ କଲେ ସ୍ମାର୍ଟ କ୍ୟାମ୍ପ୍ …..

189

କନକ ବ୍ୟୁରୋ : ଏବେ ଲଦାଖ ସୀମାରେ ରହିବାକୁ ଯବାନଙ୍କ ହେବନାହିଁ ଅସୁବିଧା । ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରରେ ବି ଯବାନ ମାନେ ସୁବିଧାରେ ରହିପାରିବେ । ସେନେଇ ଭାରତ ସରକାର ସବୁବେଳେ ଚେଷ୍ଟିତ । ଶୀତଋତୁରେ ବିଯୁକ୍ତ ୪୦ ଡିଗ୍ରୀ ତାପମାନରେ ଚଳିବା ଲାଗି ଲଦାଖର ଫରୱାର୍ଡ ସେକ୍ଟରେ ମୁତୟନ ଯବାନ ମାନଙ୍କ ପାଇଁ ସେନା ସ୍ୱତନ୍ତ୍ର ତଥା ଅତ୍ୟାଧୁନିକ ବାସସ୍ଥଳୀ ନିର୍ମାଣ ଶେଷ ହୋଇଥିବା କହିଛନ୍ତି ସରକାରୀ ଅଧିକାରୀ ।
ଚୀନର ‘ପିପୁଲସ୍ ଲିବରେସନ୍ ଆର୍ମି’ ର କୌଣସି ଅପ୍ରୀତିକର କାର୍ଯ୍ୟକଳାପର ମୁକାବିଲା କରିବାକୁ ଲଦାଖ ସେକ୍ଟରରେ ମୁତୟନ ହୋଇଛନ୍ତି ଭାରତୀୟ ସେନା । ଶୀତଋତୁରେ ପ୍ରୟତ ସେଠାରେ ତାପମାନ ବିଯୁକ୍ତ ୪୦ ଡିଗ୍ରୀ ହୋଇଥାଏ । ଭୀଷଣ ଶୀତ ସମୟରେ ସେଠାରେ ସବୁ ସ୍ଥାନରେ ପ୍ରାୟ ୩୦ ରୁ ୪୦ ଫୁଟ୍ ଉଚ୍ଚର ବରଫ ପଡିଥାଏ । ଫଳରେ ସେଠାରେ ମୁତୟନ ଯବାନ ମାନେ ବହୁ କଷ୍ଟରେ ରହିଥା’ନ୍ତି ।
ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଓ ସେନାର ମିଳିତ ପ୍ରୟାସରେ ଏଠାରେ ସ୍ମାର୍ଟ କ୍ୟାମ୍ପ୍ ବା ଅତ୍ୟାଧୁନିକ ବାସସ୍ଥଳୀ ନିର୍ମାଣ କରାଯାଇଛି । ଯେଉଁଠାରେ କି ଫ୍ରଣ୍ଟଲାଇନର ଯବାନ ମାନେ ରହିପାରିବେ । ଏହି ସ୍ମାର୍ଟ କ୍ୟାମ୍ପକୁ ବିଜୁଳି, ପାଣି ସହ ଉଷ୍ମତା ସୃଷ୍ଟିକାରୀ ସୁବିଧା ଯୋଗାଇ ଦିଆଯାଇଛି । ଏହା ସହ ସ୍ୱାସ୍ଥ୍ୟ ଓ ପରିମଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ତୁଷାରପାତରୁ ଏହି ବାସସ୍ଥଳୀକୁ ରକ୍ଷା କରିବାକୁ ବିଶେଷ ଉପକରଣ ମାନ ଲଗାଯାଇଛି । ଅନ୍ୟପଟେ ଶୀତ ୨ ମାସ ପାଇଁ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ, ଶୀତବସ୍ତ୍ର, ଉଚ୍ଚ ସ୍ଥାନରେ ପଡୁଥିବା ତମ୍ବୁ ଓ ଇନ୍ଧନ ମଧ୍ୟ ମହଜୁଦ ରଖାଯାଇଛି ।
ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଗତ ମେ ମାସ ଆରମ୍ଭରୁ ଭାରତ ଓ ଚୀନ ମଧ୍ୟରେ ଲାଗିଛି ସୀମା ବିବାଦ । ଏହି କାରଣରୁ ଉଭୟ ଦେଶ ଲଦାଖ ସୀମାରେ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି । ଅଷ୍ଟମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ଏହାର ସମାଧାନ ଲାଗି ଉପାୟ କରାଯାଇଥିଲେ ବି ପ୍ରସ୍ତାବିତ ସୈନ୍ୟ ଅପସାରଣ ପ୍ରସଙ୍ଗ ଚୁଡାନ୍ତ ହୋଇନାହିଁ ।