ପୁରୀ ସ୍ୱର୍ଗଦ୍ୱାରରେ ଆଉ ଅପେକ୍ଷା କରିବାକୁ ପଡିବନି ଘଂଟା ଘଂଟା । ପ୍ରକ୍ରିୟା ସହଜ ପାଇଁ ଆରମ୍ଭ ହେଲା ‘ସ୍ୱର୍ଗଦ୍ୱାର ଆପ୍’, ଶବଦାହ ପାଇଁ ଆପ୍ ଜରିଆରେ କରିପାରିବେ ପଞ୍ଜିକରଣ

119

କନକ ବ୍ୟୁରୋ : ଶବଦାହ ପାଇଁ ଆଉ ଘଂଟା ଘଂଟା ଅପେକ୍ଷା କରିବାକୁ ପଡ଼ିବନି । ସହଜ ହେବ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପ୍ରକ୍ରିୟା । ‘ସ୍ୱର୍ଗଦ୍ୱାର’ ଆପ୍ ଆରମ୍ଭ ହେବା ପରେ ରୂପାନ୍ତରଣରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ପୂରା ପ୍ରକ୍ରିୟା ପେପର୍ଲେସ୍ ହେବା ସହ ପଂଜିକରଣ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
‘ସ୍ୱର୍ଗଦ୍ୱାର’ ଆପ୍
ଗୁଗଲ ପ୍ଲେ’ ଷ୍ଟୋରରେ ‘ସ୍ୱର୍ଗଦ୍ୱାର’ ଆପ୍ ଉପଲବ୍ଧ
ଶବଦାହ ପାଇଁ ଆପ୍ ଜରିଆରେ ଆଗୁଆ ପଞ୍ଜିକରଣ କରିପାରିବେ
ସ୍ୱର୍ଗଦ୍ୱାରରେ ମିଳୁଥିବା ସେବା ଓ ସୁବିଧା ସଂପର୍କରେ ସହଜରେ ଜାଣିପାରିବେ
‘ଆପ୍’ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଏହି ତିନିଟି ଭାଷାରେ ସୂଚନା ମିଳିବ
ସ୍ୱର୍ଗଦ୍ୱାରରେ ଦାହସଂସ୍କାର ପାଇଁ ଶବ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଣିକି ପଞ୍ଜିକରଣ ସହଜ ହେବ ବୋଲି କୁହାଯାଉଛି ।

ପୁରୀ ସ୍ୱର୍ଗଦ୍ୱାରର କଳେବର ବୃଦ୍ଧି ପାଇଛି । ଶବଦାହ ପାଇଁ ସ୍ୱତନ୍ତ୍ର ପିଣ୍ଡି ହେବା ସହ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମଧ୍ୟ ହୋଇଛି । ତଥାପି ଅବ୍ୟବସ୍ଥା ଘେର ଭିତରେ ରହିଛି ପୁରୀ ସ୍ୱର୍ଗଦ୍ୱାର । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଥିଲେ ବି ମ୍ୟାନୁଆଲି ହେଉଥିବାରୁ ଶବଦାହ ପାଇଁ ଦୀର୍ଘସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଆସୁଛି । ପୂର୍ବରୁ ସ୍ୱର୍ଗଦ୍ୱାର ଡଟ୍ କମ୍ ନାଁରେ ଏକ ୱେବସାଇଟ ମଧ୍ୟ ଆରମ୍ଭ କରାଯାଇଥିଲା, ଏବେ ବି ଏଥିରେ ଲୋକେ ପଞ୍ଜିକରଣ କରୁନଥିବା ବେଳେ ସ୍ୱର୍ଗଦ୍ୱାର ଆପ୍କୁ କେତେ ଗ୍ରହଣ କରିବେ, ତାହା ସବୁଠୁ ବଡ଼ ପ୍ରଶ୍ନ ।

ପୁରୀ ସ୍ୱର୍ଗଦ୍ୱାରରେ ଶବସଂସ୍କାର କଲେ ମୋକ୍ଷ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ଫଳରେ ଶବଦାହ ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ସ୍ୱର୍ଗଦ୍ୱାରକୁ ଆସିଥାନ୍ତି । ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ତେଲେଙ୍ଗାନା ମହାପ୍ରସ୍ଥାନମ୍ ଢାଂଚାରେ ସ୍ୱର୍ଗଦ୍ୱାରର ନବୀକରଣ କରାଯାଇଛି । ଏବେ ଶବଦାହ ପାଇଁ ୨୮ଟି ପିଣ୍ଡି ରହିଥିବା ବେଳେ ତାହା ମଧ୍ୟ ଯଥେଷ୍ଟ ହେଉନଥିବା ଅଭିଯୋଗ ହେଉଛି ।