ଆସିଲା ‘ମୋ ବସ’ର ନୂଆ ଆପ୍ । ଏଣିକି ମୋବାଇଲରେ ଟିକେଟ ବୁକିଂ

872

କନକ ବ୍ୟୁରୋ: ମୋ ବସରେ ଯାତ୍ରା କରିବା ଆହୁରି ସହଜ ହେବ । ମୋ ବସ୍ କେଉଁଠି ଅଛି ଗୋଟିଏ କ୍ଲିକରେ ଲାଇଭ ଲୋକେସନ ଜାଣିହୋଇଯିବ । ଖାଲି ଏତିକି ନୁହେଁ, ଯାତ୍ରା ସମୟରେ ବସ ଭିତରେ ଥାଇ ଟିକେଟ ମଧ୍ୟ କାଟିହେବ । ନୂଆ ମୋବାଇଲ ଆପ ଉନ୍ମୋଚନ କରି ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଯୋଗାଇ ଦେଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ ।

  • ଆସିଲା ‘ମୋ ବସ’ର ନୂଆ ଆପ୍
  • ଏଣିକି ମୋବାଇଲରେ ଟିକେଟ ବୁକିଂ

ମୋ ବସ ଆପ୍ଲିକେସନ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନରେ ଉନ୍ମୋଚିତ ହୋଇଛି । ଏହି ଆପ ବ୍ୟବହାର ଦ୍ୱାରା ଯାତ୍ରୀଙ୍କୁ ଆଉ ବସକୁ ଅପେକ୍ଷା କରି କରି ବିରକ୍ତ ହେବାକୁ ପଡିବ ନାହିଁ । କିମ୍ବା ଟିକେଟ ପାଇଁ ଖୁଚୁରା ଚିନ୍ତା ମଧ୍ୟ ରହିବ ନାହିଁ ।

ଏହି ନୂଆ ଆପ୍ଲିକେସନର କଣ ସୁବିଧା ରହିଛି?

  • ମୋ ବସ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ରୁଟ ବିଷୟରେ ତଥ୍ୟ ମିଳିବ
  • ମୋ ବସର ଲାଇଭ ଲୋକେସନ ଜାଣିହେବ
  • ବସ ପହଞ୍ଚିବା ପୂର୍ବରୁ ବସରେ ଥିବା ଯାତ୍ରୀଙ୍କ ଉପସ୍ଥିତି ଜଣାପଡିବ
  • ବସ ଷ୍ଟପକୁ ମୋ ବସ ପହଞ୍ଚିବାର ଅନୁମାନିକ ସମୟ ଜାଣିହେବ
  • ଆପଣଙ୍କ ଚାରିପାଖେ ଥିବା ମୋ ବସର ତଥ୍ୟ ମିଳିପାରିବ

ମୋବାଇଲ ଆପ ଭଳି ମୋ ବସ ପାଇଁ ନୂଆ କାର୍ଡ ସହିତ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୫୦ ଟଙ୍କା ଦେଇ କାର୍ଡ କିଣିବା ପରେ ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଓ ୧୦୦୦ ଟଙ୍କାର ରିଚାର୍ଜରେ ୫୦ ପ୍ରତିଶତ ଲାଭାଂଶ ମିଳିବ । ସେହି କାର୍ଡକୁ ଦେଖାଇ ସହଜରେ ଯାତ୍ରା କରିପାରିବେ ଯାତ୍ରୀ ।