ନକଲି ନୋଟ ଛାପିଲେ ଆଉ ନିସ୍ତାର ନାହିଁ । ଆସିବ ନୂଆ ଆଇନ, ମହିଳା ନିର୍ଯ୍ୟାତନ କମ ପାଇଁ ଅପରାଧ ବିଲରେ ବଡ ପରିବର୍ତନ

184

କନକ ବ୍ୟୁରୋ : ମଙ୍ଗଳବାର ଲୋକସଭାରେ ୩ ଅପରାଧ ବିଲକୁ ପ୍ରତ୍ୟାହାର କରାଯାଇ ନୂଆ ଅପରାଧ ବିଧେୟକ ଆଗତ କରାଯାଇଛି । ପୂର୍ବରୁ ଆଗତ ହୋଇଥିବା ବିଧେୟକରେ ସଂଶୋଧନ ବଦଳରେ କିଛି ପରିବର୍ତନ କରାଯାଇଛି ।

ପୁରୁଣା ବିଲ ପ୍ରତ୍ୟାହାର, ନୂଆ ବିଧେୟକ ଆଗତ

-ନକଲି ନୋଟ ଛାପିବା, ପ୍ରଚଳନ, ଦେଶର ଅର୍ଥନୀତି ପ୍ରଭାବିତ ହେଲେ ତାକୁ ଆତଙ୍କବାଦୀ କାର୍ଯ୍ୟକଳାପ ସଦୃଶ ବିବେଚନା କରାଯିବ । ତେଣୁ ନକଲି ନୋଟ ସମ୍ବନ୍ଧିତ କୌଣସି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଦିଆଯିବ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ।

– ମହିଳାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ, ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇବା ପରେ ଯଦି ସେ ଆତ୍ମହତ୍ୟା କରନ୍ତି କିମ୍ବା ନିଜର କୌଣସି କ୍ଷତି କରନ୍ତି ତାକୁ ମଧ୍ୟ ଅପରାଧଭାବେ ବିବେଚନା କରାଯିବ । ଦୋଷୀଙ୍କ ପାଇଁ ରହିବ କଠୋର ଶାସ୍ତି ବ୍ୟବସ୍ଥା

-ଦୁଷ୍କର୍ମର ଶିକାର ମହିଳାଙ୍କ ନାଁ ପ୍ରଘଟ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ୨ବର୍ଷ ଯାଏଁ ଦଣ୍ଡ ମିଳିବ ।

ଅଗଷ୍ଟମାସରେ ସରକାର ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସଂହିତା ଓ ଭାରତୀୟ ସାକ୍ଷୀ ଅଧିନିୟମକୁ ଲୋକସଭାରେ ଆଗତ କରିଥିଲେ । ଅଧିକ ସମୀକ୍ଷା ପାଇଁ ସଂସଦୀୟ କମିଟି ନିକଟକୁ ପଠାଯିବା ପରେ ବିଧେୟକରେ କିଛି ପରିବର୍ତନ କରାଯାଇଛି । ସଂସଦୀୟ କମିଟିର ସୁପାରିଶକ୍ରମେ ବିଲରେ ସଂଶୋଧନ ବଦଳରେ ପରିବର୍ତନ କରାଯାଇ ନୂଆ ଚିଠା ଆଗତ କରାଯାଇଛି । ବିଲ ଉପରେ ଗୁରୁବାର ଆଲୋଚନା ଓ ଶୁକ୍ରବାର ଭୋଟିଂ କରାଯିବ