କନକ ବ୍ୟୁରୋ : ବିଜେପି କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର । ବୁଧବାର ଦିନ ନରେନ୍ଦ୍ର ମୋଦୀଙ୍କ ଏକ ପୋଷ୍ଟର କଂଗ୍ରେସ ସେୟାର କରିବା ପରେ ବିଜେପି ରାହୁଲଙ୍କ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛି । ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇଛି ଭାରତୀୟ ଜନତା ପାର୍ଟି । ଟ୍ୱିଟ କରି ଲେଖାଯାଇଛି, ଏ ହେଉଛନ୍ତି ନୂଆ ଯୁଗର ରାବଣ । ସେ ଖଳ ପ୍ରକୃତିର ଏବଂ ଧର୍ମ ତଥା ରାମ ବିରୋଧୀ ।

Advertisment

ଦେଶକୁ ଧ୍ୱଂସ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ପୋଷ୍ଟରରେ ରାହୁଲଙ୍କ ୭ଟି ମୁଣ୍ଡ ଦେଖାଦେଇଛି । ଏହି ପୋଷ୍ଟରର ଉପରି ଭାଗରେ ଲେଖାଯାଇଛି ଭାରତ ବିପଦରେ ରହିଛି । ଆହୁରି ମଧ୍ୟ ଲେଖାଅଛି, ରାବଣ- ଏ କଂଗ୍ରେସ ପାର୍ଟି ପ୍ରଡକସନ, ଜର୍ଜ ସୋରେସଙ୍କ ଦ୍ୱାରା ନିର୍ଦ୍ଦେଶିତ । ଜର୍ଜ ସୋରେସ ହେଉଛନ୍ତି ଜଣେ ଆମେରିକୀୟ ଅରବପତି । ଜର୍ଜ ସୋରେସଙ୍କ ଲୋକେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିବା ବିଜେପି ପୂର୍ବରୁ ଅଭିଯୋଗ କରିଛି । ଏବଂ ସେଥିପାଇଁ ଏହି ପୋଷ୍ଟରରେ ଜର୍ଜ ସୋରେସଙ୍କ ନାମ ଯୋଡ଼ାଯାଇଛି । ‘ଓପନ ସୋସାଇଟି ଫାଉଣ୍ଡେସନ’ ନାମକ ଏକ ଏନଜିଓ ଜର୍ଜ ସୋରେସଙ୍କ ପକ୍ଷରୁ ପାଣ୍ଠି ପାଇଛି ଏବଂ ଏହାର ଉପାଧ୍ୟକ୍ଷ ସଲିଲ ସେଟ୍ଟୀ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଥିଲେ ।

ସେପଟେ କଂଗ୍ରେସର ପୋଷ୍ଟରରେ ମୋଦୀ ଓ ଅମିତ ଶାହାଙ୍କ ଫଟୋ ସହ ‘ନରେନ୍ଦ୍ର ମୋଦି ଆଜ ଜୁମଲା ବୟ’ ଲେଖିଛି କଂଗ୍ରେସ । ଏହାସହ ବିଜେପି ଓ କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର ଜୋରଦାର ହୋଇଛି । ସେପଟେ ବିଜେପିର ଏହି ଟ୍ୱିଟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି କଂଗ୍ରେସ ନେତା କେସି ବେଣୁଗୋପାଳ । ସେହିପରି ଏପରି ପୋଷ୍ଟ ଦ୍ୱାରା ରାହୁଲଙ୍କ ବିରୋଧରେ ହିଂସା ବଢ଼ାଇବାକୁ ଚେଷ୍ଟା କରୁଛି ବିଜେପି ବୋଲି କହିଛନ୍ତି ଜୟରାମ ରମେଶ ।