କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭୋରୁ ଭୋରୁ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତକୁ ମିଶାଇ ରାଜ୍ୟରେ ୨୮୭ରେ ପହଂଚିଲା । ସେହିଭଳି ବର୍ତ୍ତମାନ ଚିହ୍ନଟ ହୋଇଥିବା ସମସ୍ତ ୩ ।କ୍ରାନ୍ତ ମୟୁରଭଂଜ ଜିଲ୍ଲାର ବୋଲି ସୂଚନା ମିଳିଛି । ସେପଟେ ଏହାପୂର୍ବରୁ ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଂଜାମରୁ ୧୨ ଜଣ ହୋଇଥିବା ବେଳେ ଭଦ୍ରକ ଏବଂ ସୁନ୍ଦରଗଡରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମୟୁରଭଂଜରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୭କୁ ବୃଦ୍ଧି ପାଇଛି ।
ତେବେ ଆଜିର ରିପୋର୍ଟ ଆସିବା ପରେ ଗଂଜାମ ପାଇଁ ଚିନ୍ତା ଆହୁରି ବଢି ଯାଇଛି । ଦିନ କେଇଟାରେ ହଟସ୍ପଟ୍ ପାଲଟିଛି ଗଂଜାମ ଜିଲ୍ଲା । ଏବେ ସୁଦ୍ଧା ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆକ୍ରାନ୍ତ ସୁରତ ଫେରନ୍ତା । ଯଦିଓ ଆଜିର ଆକ୍ରାନ୍ତଙ୍କ ଗସ୍ତ ସୂଚନା ମିଳି ନାହିଁ । ପୂର୍ବରୁ ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ୭୦ ଜଣ ସୁରତ ଫେରନ୍ତା ଅଛନ୍ତି । କେବଳ ଜଣେ କେରଳ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଗତକାଲି ରାଜ୍ୟରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ଚିହ୍ନଟ ହୋଇଥିଲେ ୪୩ ଜଣ ଆକ୍ରାନ୍ତ ।