ଧିମେଇ ଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ନିର୍ମାଣ । କାମ ଆରମ୍ଭର ୫ ବର୍ଷ ପରେ ସରିନି କାମ ।

57

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ନିର୍ମାଣ ଧିମେଇ ଯାଇଛି । ଯାଜପୁର ବଡଚଣା ବ୍ଲକ ସିହା ଠାରେ ୨୦୧୭ରୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ବି ସରୁନି । ସେପଟେ ଚଣ୍ଡିଖୋଲ ବିବି କଲେଜ ପରିସରରେ ଅସ୍ଥାୟୀ କ୍ୟାମ୍ପସରେ ବଢୁଛି ଛାତ୍ର ଅଶାନ୍ତି । ପାଠପଢା ପାଇଁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ବଡଚଣା ବ୍ଲକ ସିହା ଠାରେ ତିଆରି ହେଉଛି ଉକ୍ରଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ । ପ୍ରାୟ ୫୦ ଏକର ଜମିରେ ୨୦୧୭ରୁ ନିର୍ମାଣ କାମ ଚାଲିଛି । ଏହାରି ଭିତରେ ୫ବର୍ଷ ପୁରିବାକୁ ବସିଲାଣି କିନ୍ତୁ ନିର୍ମାଣ ସରୁନି । ଅନ୍ୟପଟେ ଗତ ଲଘୁଚାପ ବର୍ଷାରେ କ୍ୟାମ୍ପସର ନିର୍ମାଣଧୀନ ପାଚେରୀ ଭୁଷୁଡି ପଡିଛି । ଏହାକୁ ଦେଖିବା ପରେ ନିର୍ମାଣ କାମକୁ ନେଇ ପ୍ରଶ୍ନ କରିବା ସହ ୨୦୨୨ ମସିହା ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସର କାମ ସାରିବାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂଶାସିତ କଲେଜ ପରିସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ନିର୍ମାଣ ହେଉଥିବା ବେଳେ ଏବେ ଏଠାରେ ବିଏସସି ନର୍ସିଂ ପାଠ ପଢା ଚାଲିଛି । ୮୩ଜଣ ଛାତ୍ରଛାତ୍ରୀ ଦୁଇଟି ଶ୍ରେଣୀରେ ପାଠ ପଢୁଥିବା ବେଳେ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି । ଲାଇବ୍ରେରୀରେ ଆବଶ୍ୟକୀୟ ବହି ନଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଠାରେ ନିୟୋଜିତ ଏକ ସଂସ୍ଥା ପିଲାଙ୍କ ଠାରୁ ବେଆଇନ ଭାବେ ୮ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖା ଦେଇଥିବା ବେଳେ ଏବାବଦରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବା କହିଛନ୍ତି ଏଚଓଡି ମୌସୁମୀ ପ୍ରଧାନ ।