କନକ ବ୍ୟୁରୋ: ମୋବାଇଲ୍ ଫୋନ୍ ସେବା ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଲାଣି। ସରକାରଙ୍କର ବହୁ ସେବା ଅନ୍ଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବାରୁ ମୋବାଇଲ୍ ଫୋନ୍ ସମସ୍ତଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଏବେ ବି ଅନୁଗୁଳ ଜିଲ୍ଲାର କେତେକ ଅଞ୍ଚଳରେ ମୋବାଇଲ୍ ସେବା ଅପହଞ୍ଚ ହୋଇରହିଛି। ଜିଲ୍ଲାର ଆଠମଲ୍ଲିକ ବ୍ଲକ୍ର ୨୭ଟି ଗାଁରେ ନେଟ୍ୱର୍କ ମିଳୁନାହିଁ। ଏହି ଗାଁର ଅଧିବାସୀମାନେ ତେଣୁ ବହୁ ହନ୍ତସନ୍ତ ହେଉଛନ୍ତି।
ସୂଚନା ଅନୁଯାୟୀ ଆଠମଲ୍ଲିକ ବ୍ଲକ୍ ସାପଘରା ପଞ୍ଚାୟତର ଲକ୍ଷ୍ମୀପୁର, ଆମ୍ବନାଳୀ, ରାଇନାଳି, ହେମାମୁରା, ବାତ୍ରାଖୋଳ, ସାଲୁଣି, କନ୍ତପଡ଼ା ପଞ୍ଚାୟତର ସୋମନାଥପୁର, ଗୋଲେଖପୁର, କେଞ୍ଚୁଆନାଳି, ରଇଡ଼ା, ଜାମୁକଣି, ମଇମୁରା ପଞ୍ଚାୟତର କଂସାବ, କୋରାବ, ମଇମୁରା, କୁତୁଲିସିଙ୍ଗା, ଧୋଡ଼ାଖୋଳ, ଗୋପପୁର, ରାମପୁର, ଝାଟିକିବାହାଳ, ଘଣାଯୋଡ଼ି, ଲବିଙ୍ଗ, ପିତାବଳୀବାହାଳ, ତରଣ୍ଡା, ବିପ୍ରଡିହ, ଆମ୍ବସରମୁଣ୍ଡା ପଞ୍ଚାୟତର ପୋଡ଼ାପଦର, ଆଡ଼େଶ୍ୱର, ଗିରିଦା ପ୍ରଭୃତି ଗାଁରେ ନେଟ୍ୱର୍କ ମିଳୁନାହିଁ। ଏହା ହେଉଛି ଜଙ୍ଗଲବହୁଳ ଅଞ୍ଚଳ। ମୋବାଇଲ୍ ଫୋନ୍ କାମ କରୁ ନଥିବାରୁ ଗ୍ରାମବାସୀମାନେ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପାଇପାରୁ ନାହାନ୍ତି। ଏହି ଗାଁମାନଙ୍କରେ ଅନେକ ଜବ୍କାର୍ଡଧାରୀ ଶ୍ରମିକ ଅଛନ୍ତି। କାମ କରିବା ପରେ ସରକାରଙ୍କ ପକ୍ଷରୁ ସେମାନଙ୍କ ପାସ୍ବୁକ୍କୁ ମଜୁରି ଟଙ୍କା ଆସିଲା କି ନାହିଁ, ସେମାନେ ଜାଣିପାରୁନାହାନ୍ତି। ଏହା ଜାଣିବା ପାଇଁ ସେମାନଙ୍କୁ ୨୦ରୁ ୨୫ କିମି ଦୂର ଠାକୁରଗଡ଼ ବା ପାଇକସାହିରେ ଥିବା ବ୍ୟାଙ୍କକୁ ଆସି ପାସ୍ବୁକ୍ ଯାଞ୍ଚ କରିବାକୁ ପଡ଼ୁଛି। ଟଙ୍କା ଆସି ନଥିଲେ ନିରାଶ ହୋଇ ଫେରୁଛନ୍ତି।
ଅଞ୍ଚଳରେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସୁବିଧା ମିଳୁନାହିଁ। ତରଣ୍ଡା ଓ ବିପ୍ରଡିହ ଗାଁର ରାସନକାର୍ଡଧାରୀ ଓ ଡିଲର୍ଙ୍କୁ ନେଟ୍ୱର୍କ ପାଇଁ ପାହାଡ଼ ଚଢ଼ିବାକୁ ପଡ଼ୁଛି। ଯେଉଁଠି ନେଟ୍ୱର୍କ ମିଳୁଛି, ସେଠାରେ ଡିଲର୍ ରାସନକାର୍ଡଧାରୀଙ୍କ ଫିଙ୍ଗର୍ ପ୍ରିଣ୍ଟ ନେଇ ଚାଉଳ, ଗହମ ଦେଉଛନ୍ତି। ବିପ୍ରଡିହ ଗାଁର ଲୋକଙ୍କୁ ନେଟ୍ୱର୍କ ପାଇଁ ଗଛ ଚଢ଼ିବାକୁ ପଡ଼ୁଛି। ଅଞ୍ଚଳରେ କୌଣସି ପ୍ରାକୃତିକ ବିପଦ, ଘରପୋଡ଼ି ବା ଦୁର୍ଘଟଣା ଘଟିଲେ ତୁରନ୍ତ ଅଗ୍ନିଶମ କାର୍ୟ୍ୟାଳୟ, ଡାକ୍ତରଖାନାକୁ ଯୋଗାଯୋଗ କରିହେଉ ନାହିଁ। ଇଣ୍ଟର୍ନେଟ୍ ମାଧ୍ୟମରେ ଯେଉଁ ପାଠପଢ଼ା ଚାଲିଛି, ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହେଉଛନ୍ତି। ୫୫ ନମ୍ବର ଜାତୀୟ ରାଜପଥଠାରୁ ପାଖାପାଖି ୨୦ କି.ମି. ଦୂରରେ ଏହି ଗାଁଗୁଡ଼ିକ ଥିଲେ ସୁଦ୍ଧା ଅଧିବାସୀଙ୍କୁ ଫୋନ୍ ସେବା ମିଳିପାରୁନାହିଁ। ଏଥିଯୋଗୁଁ ପୂର୍ବରୁ ମାଓବାଦୀମାନେ ଏହି ଅଞ୍ଚଳଦେଇ ନିରାପଦରେ ଯାତାୟାତ କରୁଥିଲେ। ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଫୋନ୍ ଟାୱାର୍ ଥିଲେ ମଧ୍ୟ ତାହା ଅନେକ ସମୟରେ ଅଚଳ ଅବସ୍ଥାରେ ରହୁଛି। କେତେକ ସ୍ଥାନରେ ଟାୱାର ନିର୍ମାଣ କରାଯାଇଛି। ମାତ୍ର ସେଗୁଡ଼ିକ କାର୍ୟ୍ୟକ୍ଷମ କରାଯାଇନାହିଁ। ଯଥାଶୀଘ୍ର ସମ୍ଭବ ଅଞ୍ଚଳରେ ବିଏସ୍ଏନଏଲ୍ ଓ ଅନ୍ୟ ଘରୋଇ ସଂସ୍ଥାର ଫୋନ୍ ସେବା ଉପଲବ୍ଧ କରାଯିବାକୁ ସାଧାରଣରେ ଦାବି ହୋଇଛି। ଏ ସଂପର୍କରେ ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏଙ୍କୁ ପଚାରିବାରୁ ସେ କହିଛନ୍ତ ‘ଏହି ପଞ୍ଚାୟତଗୁଡ଼ିକରେ ଫୋନ୍ ଟାୱାର୍ ନିର୍ମାଣ ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରୀଙ୍କୁ ଚିଠିଲେଖି ଅବଗତ କରାଇଛି। ମାତ୍ର କେନ୍ଦ୍ରସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/tree.jpg)