ଆଜି ଶ୍ରୀବିଗ୍ରହଙ୍କ ହେବ ନେତ୍ରୋତ୍ସବ ନୀତି। ଶ୍ରୀଜିଉଙ୍କ ଚକ୍ଷୁ ସାଧାରଣ ଚକ୍ଷୁ ନୁହେଁ ବରଂ ଉନ୍ମୀଳିତ ନହୋଇ ବି ରହିଥାଏ ଚିର ଜାଗ୍ରତ

ଆଜି ଶ୍ରୀବିଗ୍ରହଙ୍କ ହେବ ନେତ୍ରୋତ୍ସବ ନୀତି। ଶ୍ରୀଜିଉଙ୍କ ଚକ୍ଷୁ ସାଧାରଣ ଚକ୍ଷୁ ନୁହେଁ ବରଂ ଉନ୍ମୀଳିତ ନହୋଇ ବି ରହିଥାଏ ଚିର ଜାଗ୍ରତ

କନକ ବ୍ୟୁରୋ: ଜ୍ୱରରେ ପିଡିତ ଶ୍ରୀଜିଉ ସମ୍ପ୍ରୁ୍ଣ୍ଣ ସୁସ୍ଥ ହେବାପରେ ଆଜି ନବଯୌବନ ଦର୍ଶନ ସହ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଗତକାଲି ତ୍ରୟୋଦଶ ତିଥିରେ ପୁରୀରେ ଶ୍ରୀଜିଉଙ୍କର ପଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଏଥିସହ ଦତ ମହାପାତ୍ର ସେବକମାନେ ଅଣସରପରେ ବନକଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଅନୁଷ୍ଠିତ ହେବ । ନେତ୍ରୋତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ମହାପ୍ରଭୁଙ୍କ ନେତ୍ରୋତ୍ସବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ନୀତି। ଏ ସଂପର୍କରେ ସ୍ୱତ୍ଵଲିପିରେ ଥିବା ବର୍ଣ୍ଣନା ଅନୁସାରେ- ନବଯୌବନ ଦର୍ଶନ ପରେ, ଭିତର ପହଁରାଯାଇ ଚୂନପାଣି ପଡ଼େ। ତିନିଟି ରୂପା ପିଙ୍ଗଣରେ ଚନ୍ଦନ ଆସିଲେ ପତିମହାପାତ୍ର ସେବକ ତାହାକୁ ସଂସ୍କାର କରନ୍ତି ଏବଂ ତା’ପରେ ଦଇତାପତି ଚନ୍ଦନଲାଗି କରନ୍ତି। ତାହାପରେ ମଇଲମ (ବସ୍ତ୍ର ଉଲାଗି) ହୋଇ ତିନିଠାକୁର ନଅଖଣ୍ଡ ଓ ଶ୍ରୀସୁଦର୍ଶନ ଏକଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି। ଏହାପରେ ପତିମହାପାତ୍ର ସେବକ ଅକ୍ଷତ, କର୍ପୂର ଆଳତି, ସାତବତି, ସଞ୍ଜକାହାଳୀ ବନ୍ଦାପନା କରିବାପରେ, ତିନିବାଡ଼ର ତିନି ଦତ୍ତମହାପାତ୍ର ସେବକ ଆସି ତିନିଟି ରୂପା ବଟାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଳା ଯୋଗାନ୍ତି। ତାହାପରେ ତିନିବାଡ଼ର ତିନି ପୂଜାପଣ୍ଡା ସେବକ ତିନିଟି କାଠିରେ ସେମାନଙ୍କୁ ଶ୍ରୀନେତ୍ର ଲାଗି କରନ୍ତି। ଏହି ନୀତି ଗୋପନୀୟ ଭାବରେ ସଂପନ୍ନ ହେଲେ ମଧ୍ୟ ‘ନେତ୍ରୋତ୍ସବ’ ରୂପେ ପ୍ରସିଦ୍ଧ।

publive-image

ଏ ପ୍ରସଙ୍ଗରେ ମନକୁ ପ୍ରଶ୍ନ ଆସେ, ତେବେ କ’ଣ ଭକ୍ତ ଓ ସେବକମାନଙ୍କୁ ନବଯୌବନରେ ଦର୍ଶନ ଦେବାବେଳେ ଶ୍ରୀବିଗ୍ରହମାନେ ଚକ୍ଷୁସ୍ମାନ୍ ନଥାନ୍ତି?

ଏ ପ୍ରସଙ୍ଗରେ ତାତ୍ପର୍ଯ୍ୟପୂର୍ଣ୍ଣ ସଂକେତ ମିଳେ ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରୁ। ସେଥିରେ ଉଲ୍ଲେଖ ଅଛି, ‘‘ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କର ନେତ୍ରପଦ୍ମରେ ଦୁଇଟି ନେତ୍ର ପ୍ରଦାନ କରିବେ। ଏହାକୁ ନେତ୍ରୋତ୍ସବ କୁହାଯାଏ।’’

ଏହି ‘ତଚ୍ଚକ୍ଷୁ’ ମନ୍ତ୍ର ହେଉଛି- ଯଜୁର୍ବେଦର ଏକ ବିଶେଷ ମନ୍ତ୍ର। ଏହାର ଅର୍ଥ- ହେ ପ୍ରଭୁ ! ଆପଣଙ୍କର ଚକ୍ଷୁ- ଦେବ, ଅସୁର, ମନୁଷ୍ୟ- ସମସ୍ତଙ୍କର ଶୁଭ ଦେଖିବା ନିମନ୍ତେ ଉଦ୍ଦିଷ୍ଟ ଚକ୍ଷୁ ଅଟେ। ଏହାର ତାତ୍ପର୍ଯ୍ୟ ହେଉଛି- ତାଙ୍କର ଚକ୍ଷୁରେ ପ୍ରଭୁ ସବୁବେଳେ ସମସ୍ତଙ୍କର ମଙ୍ଗଳ ହିଁ ଦେଖିଥାଆନ୍ତି।

ତେବେ ଏହି ଚକ୍ଷୁ ଉନ୍ମୋଚନ ବା ନେତ୍ର ଦାନ ଏକ ଲୌକିକ ଲୀଳା ମାତ୍ର। କାରଣ, ଶାସ୍ତ୍ର ମତରେ ତାଙ୍କର ଚକ୍ଷୁ ଆମପରି ସାଧାରଣ ଚକ୍ଷୁ ନୁହେଁ। ତାହା ହେଉଛି ଅନ୍ତର୍ଚକ୍ଷୁ। ତାହା ଲୌକିକ ଭାବରେ ଉନ୍ମୀଳିତ ନହୋଇଥିବାବେଳେ ବି ଚିର ଜାଗ୍ରତ ରହିଥାଏ ଏବଂ ସେ ସାକ୍ଷୀପୁରୁଷ ଭାବରେ ସଦାସର୍ବଦା ଏ ସମଗ୍ର ଜଗତକୁ ଅପଲକ ନୟନରେ ଚାହିଁ ରହିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe