କନକ ବ୍ୟୁରୋ : ବିଶ୍ୱକପରେ ବଡ ବିପର୍ଯ୍ୟୟ । ଦୁର୍ବଳ ନେଦରଲାଣ୍ଡସରୁ ପରାଜିିତ ହେଲା ଦକ୍ଷିଣ ଆଫ୍ରିକା, ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିଫାଇନାଲ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ୧୩ ରନରେ ବାଜି ମାରିଛି ନେଦରଲାଣ୍ଡସ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ନେଦରଲାଣ୍ଡସ ନିର୍ଦ୍ଧାରିତ ଓଭରରେ ୧୫୮ ରନ୍ କରିବା ସହ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୫୯ ରନର ବିଜୟଲକ୍ଷ୍ୟ ରଖିଥିଲା । ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ନେଦରଲାଣ୍ଡସର ଶାଣିତ ବୋଲିଂ ଆଗରେ ମାତ୍ର ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା ।

Advertisment

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ପରାଜୟ ପରେ ଟିମ୍ ଇଣ୍ଡିଆ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇଛି । ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ ରହିଥିବା ବେଳେ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ ଟିକେଟ ହାତେଇଛି । ଅନ୍ୟପଟେ ପରାଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ୱକପ ସେମିଫାଇନାଲ ରେସରୁ ଏକପ୍ରକାର ବିଦା ହୋଇଛି । ଯଦି କୌଣସି କାରଣ ବଶତଃ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ରଦ୍ଦ ହୁଏ ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେସରେ ସାମିଲ ହେବ । କିନ୍ତୁ ବାଂଲାଦେଶ-ପାକିସ୍ତାନ ମଧ୍ୟରୁ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଟିକେଟ ହାତେଇବ । ଯେହେତୁ ଭାରତ ସେମିଫାଇନାଲ ଟିକେଟ ହାତେଇ ସାରିଛି ତେଣୁ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚରେ ବିନା ଚାପରେ ଖେଳିବ । ତେବେ ଶେଷ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚାହିଁବ ରୋହିତ ବାହିନୀ ।