ହମାସ କବଳରେ ବନ୍ଧକ ଥିବା ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ଆଲୋଚନା ଚାଲିଛି । ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସଙ୍କ ଆଗରେ ଏକ ନୂଆ ସର୍ତ୍ତ ରଖିଛନ୍ତି । ମଙ୍ଗଳବାର ଦିନ ନେତାନ୍ୟାହୁ କହିଛନ୍ତି ଯେ ମୁକ୍ତ ହେବାକୁ ଥିବା ପ୍ରତି ଦଶ ଜଣ ବନ୍ଧକଙ୍କ ପାଇଁ ଗୋଟିଏ ଦିନର ଅସ୍ତ୍ରବିରତି ହେବ।

Advertisment

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ନେଇ  ଆଲୋଚନା ଚାଲିଛି । ଏହି ଅସ୍ତ୍ରବିରତି ବଦଳରେ ହମାସ କବଳରେ ବନ୍ଧକ ଥିବା ପ୍ରାୟ ୫୦ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ମୁକ୍ତ କରିବ। ପ୍ରତି ବଦଳରେ ଇସ୍ରାଏଲ୍ ଏହାର ଜେଲରେ ଥିବା ପ୍ରାୟ ୧୫୦ ଜଣ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବ। ତା ସହ  ଇସ୍ରାଏଲ ଗାଜାରେ ଅଧିକ ମାନବିକ ସହାୟତା ପାଇଁ ଅନୁମତି ଦେବ । ତେବେ ଏହି ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ବିଷୟ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦର ନିର୍ଦ୍ଦେଶକ ତାଜାଚି ହାନେଗବି ବୁଧବାର କହିଛନ୍ତି ଯେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଆମ ଆଲୋଚନା  ଆଗକୁ ବଢୁଛି । ପକ୍ଷମାନଙ୍କ ମଧ୍ୟରେ ମୂଳ ଚୁକ୍ତି ଅନୁଯାୟୀ ରିଲିଜ୍ ଆରମ୍ଭ ହେବ । ତେବେ ଏହା ଶୁକ୍ରବାର ପୂର୍ବରୁ ଆରମ୍ଭ ହୋଇପାରିବ ନାହିଁ।

ଚୁକ୍ତିନାମା ଅନୁଯାୟୀ, ହାମାସ ଚାରି ଦିନ ମଧ୍ୟରେ ଶିଶୁ ଏବଂ ମହିଳାଙ୍କ ସମେତ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ । ଏଥି ସହିତ ପ୍ରତ୍ୟେକ ଇସ୍ରାଏଲ୍ ବନ୍ଧକ ବଦଳରେ ଇସ୍ରାଏଲ୍ ୩ ଜଣ ପାଲେଷ୍ଟାଇନବାସୀଙ୍କୁ ମୁକ୍ତ କରିବ । ଅର୍ଥାତ୍ ଇସ୍ରାଏଲ ସମୁଦାୟ ୧୫୦ ଜଣ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବ । ହମାସ ଦ୍ୱାରା ମୁକ୍ତ ହୋଇଥିବା ବନ୍ଧକମାନଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ମଧ୍ୟ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି ।

ମଙ୍ଗଳବାର ଦିନ ନେତାନ୍ୟାହୁ ଆଉ ଏକ ନୂତନ ଘୋଷଣା କରି କହିଛନ୍ତି ଯେ ମୁକ୍ତ ହେବାକୁ ଥିବା ପ୍ରତି ଦଶ ଜଣ ବନ୍ଧକଙ୍କ ପାଇଁ ଗୋଟିଏ ଦିନର ଅସ୍ତ୍ରବିରତି ହେବ।  ଯଦି ବନ୍ଧକ ରିଲିଜର ପ୍ରଥମ ପର୍ଯ୍ୟାୟ ଯୋଜନା ଅନୁଯାୟୀ ଠିକଠାକ ଚାଲେ ତେବେ ହମାସ୍ ଦ୍ଵାରା ଆହୁରି ପ୍ରାୟ ୨୦ ଜଣ ବନ୍ଧକ ମୁକ୍ତ ହେବେ ଏବଂ ଅସ୍ତ୍ରବିରତି ସୀମା ମଧ୍ୟ ବଢିପାରେ । ବ

ନ୍ଧକ ବିନିମୟ ଉପରେ ନଜର ରଖିବା ପାଇଁ ଦୋହାରେ ଏକ ଅପରେସନ୍ ସେଣ୍ଟର ସ୍ଥାପନ କରାଯାଇଛି ।  ହମାସ ଗାଜାରେ ବନ୍ଧକମାନଙ୍କୁ ରେଡକ୍ରସର ଅନ୍ତର୍ଜାତୀୟ କମିଟିକୁ ହସ୍ତାନ୍ତର କରିବ । ଏହା ପରେ ସେମାନଙ୍କୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀକୁ ହସ୍ତାନ୍ତର କରାଯିବ। ମୁକ୍ତ ହେବାକୁ ଥିବା ଅଧିକାଂଶ ପାଲେଷ୍ଟାଇନ ବନ୍ଦୀ ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ଯାଙ୍କରେ ରହିବେ ଆଉକିଛି ଗାଜାକୁ ଯିବେ ।