ନେତାଜୀଙ୍କ ମୃତ୍ୟୁ ମିଷ୍ଟ୍ରି: କେମିତି ହୋଇଥିଲା ସୁଭାଷ ବୋଷଙ୍କ ମୃତ୍ୟୁ ? ଜୟନ୍ତୀରେ ମନେ ପଡ଼ିଲା ନେତାଜୀଙ୍କ ନିଖୋଜ ରହସ୍ୟର କାହାଣୀ

619

କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏପରି ଏକ ନାଁ, ଯାହାକୁ ଶୁଣିଲେ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ଶିହରଣ ସୃଷ୍ଟି ହୁଏ । ୭୫ ବର୍ଷ ତଳେ ତାଇୱାନରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା ଜାପାନ । ନେତାଜୀଙ୍କ ସଂପର୍କୀତ ୩୦୪ ଫାଇଲ ସାର୍ବଜନୀନ ହେବା ପରେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ସଂପୂର୍ଣ୍ଣ ପରଦା ହଟିନାହିଁ । ନେତାଜୀଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ମନେ ପକାଉଛି ସାରା ଦେଶ ।

ନେତାଜୀଙ୍କର କିପରି ହେଲା ମୃତ୍ୟୁ ? ୭୫ ବର୍ଷ ପରେ ବି ଦେଶବାସୀଙ୍କ ମନରୁ ହଟୁନି ସଂଦେହ । ତେବେ ଖୋସଲା କମିସନଙ୍କ ରିପୋର୍ଟ ଅନୁସାରେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତେବେ ନେତାଜୀ ଜନମାନସରେ ଏପରି ସ୍ଥାନ ଅଧିକାର କରିଥିଲେ ଯେ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁକୁ ଗ୍ରହଣ କରିପାରନ୍ତି ନାହିଁ ଦେଶବାସୀ । ଏହାକୁ ନେଇ ତଦନ୍ତ କମିସନ ପରେ କମିସନ ବସିଛି, ହେଲେ ପୂରା ରହସ୍ୟ ଉପରୁ ପରଦା ଉଠି ପାରିନାହିଁ । ମୋଦୀ ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପାଖରେ ଥିବା ନେତାଜୀଙ୍କ ସଂପର୍କୀତ କିଛି ଗୁପ୍ତ ରଖାଯାଇଥିବା ଫାଇଲ, ସର୍ବ ସାଧାରଣରେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ, କେନ୍ଦ୍ର ସଚିବାଳୟରେ ଥିବା ୩୦୪ଟି ଫାଇଲ ସାର୍ବଜନୀନ କରିଥିଲେ ।

ନଜର ପକାନ୍ତୁ ନେତାଜୀଙ୍କ ସଂପର୍କୀତ ସାର୍ବଜନୀନ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ

୧- ଖୋସଲା କମିସନ ରିପୋର୍ଟ ଅନୁସାରେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ତାଇୱାନ ଠାରେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ।
୨- ୨୦ ଅଗଷ୍ଟ ୧୯୪୫ – ନେତାଜୀଙ୍କ ଅନ୍ତିମ ସଂସ୍କାର ।
୩- ୧୯୪୫, ସେପ୍ଟେମ୍ବର ମାସରେ ଟୋକିଓ ସ୍ଥିତ ରେଙ୍କୋଜୀ ମନ୍ଦିରରେ ରଖାଗଲା ନେତାଜୀଙ୍କ ଚିତାଭସ୍ମ
୪- ନେତାଜୀଙ୍କ ମୃତ୍ୟୁ ନେଇ ଜାପାନ ସରକାରଙ୍କ ଘୋଷଣା ପରେ ମଧ୍ୟ ଏହାକୁ ବିଶ୍ୱାସ କରୁନଥିଲା ବ୍ରିଟିଶ ସରକାର ।
୫- ରେଙ୍କୋଜୀ ମନ୍ଦିର କର୍ତ୍ତୃପକ୍ଷକୁ ନେତାଜୀଙ୍କ ଚିତାଭସ୍ମର ରକ୍ଷଣାବେକ୍ଷଣା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ପ୍ରତିବର୍ଷ ୫ ହଜାର ଟଙ୍କା ଦିଆଯାଉଥିଲା
୬- ନେତାଜୀଙ୍କ ଝିଅକୁ ମାସିକ ୬ ହଜାର ଟଙ୍କା ଦେଉଥିଲେ, ୧୯୬୫ରେ ତାଙ୍କ ବିବାହ ପରେ ଏହି ଅନୁଦାନକୁ ବନ୍ଦ କରି ଦେଇଥିଲେ ସରକାର ।

୨୦୧୭ ମସିହାରେ ସାୟକ ସେନ୍ ନାମକ ଜଣେ ଆବେଦନକାରୀ ସୂଚନା ଅଧିକାର ଆଇନ ବଳରେ ନେତାଜୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କୁ ତଥ୍ୟ ମାଗିଥିଲେ । ୧୯୪୫ ମସିହାେରେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ ସରକାର । ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋଷ ବୋଲି ଯେଉଁ ଚର୍ଚ୍ଚା ହୋଇ ଆସୁଥିଲା, ତାହା ଗୁଜବ ବୋଲି କହିଥିଲେ କେନ୍ଦ୍ର ସରକାର ।