କନକ ବ୍ୟୁରୋ : ନେତାଜୀଙ୍କୁ ନେଇ କଟକର ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଚମତ୍କାର କଳାକୃତି । ନେତାଜୀ ସୁବାଷ ବୋଷଙ୍କ ଜୀବନୀକୁ ନୂତନ ଜୀବନ ଦେଉଛନ୍ତି କାରିଗର । କରୋନା କାଳରେ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବାକୁ କଟକ ସ୍ଥିତ ନେତାଜୀ ସଂଗ୍ରହାଳୟରେ ଚାଲିଛି ଭାସ୍କର୍ଯ୍ୟ କଳାକୃତି ଶିବିର ।
ନେତାଜୀଙ୍କ ଜୀବନୀକୁ ଜୀବନ ଦେଉଛନ୍ତି ଶିଳ୍ପୀ । ଭାସ୍କର୍ଯ୍ୟ କଳା ଯାଦୁରେ କଟକର ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଚମତ୍କାର କଳାକୃତି । କଟକ ଓଡ଼ିଆ ବଜାରରେ ଥିବା ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମୃଣ୍ମୟ ଭାସ୍କର୍ଯ୍ୟ ଶିବିର ଚାଲିଛି । କଟକର ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ସୁବାସ ବୋଷଙ୍କ ୧୨୫ ତମ ଜୟନ୍ତୀ ପାଇଁ ତାଙ୍କ ଜୀବନୀ ସମ୍ବନ୍ଧରେ ଭାସ୍କର୍ଯ୍ୟ ତିଆରି ଚାଲିଛି । ନେତାଜୀଙ୍କ ବୀରତ୍ୱର କାହାଣୀ, ନେତାଜୀଙ୍କ ଆଦର୍ଶ, ସ୍ଵାଧୀନତା ସଂଗ୍ରାମ ପାଇଁ ନେତାଜୀଙ୍କ ବିଦେଶ ଯାତ୍ରା ସହ ବିଶେଷ ଘଟଣାକୁ ରୂପ ଦିଆଯାଉଛି । ଏହି ଭାସ୍କର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ୭ ଦିନର ସମୟ ଲାଗୁଛି ।
ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ପାର୍ବଣ ଋତୁରେ କଟକର ମୂର୍ତ୍ତି କାରିଗର ରୋଜଗାର କରିଥାନ୍ତି । ହେଲେ ଗଲା ଦୁଇ ବର୍ଷ ହେଲାଣି କରୋନା ପାଇଁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏବେ କାରିଗରଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଭାସ୍କର୍ଯ୍ୟ ଶିବିର କରାଯାଇଛି । ତେବେ ରାଜ୍ୟ ସରକାର ନେତାଜୀଙ୍କ ଜନ୍ମ ସ୍ଥାନକୁ ଆହୁରି ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯାହା ଖୁବ କମ ଦିନରେ ସମ୍ପାଦନ ହେବା ନେଇ ମଧ୍ୟ ଗ୍ରୀନ ସିଗନାଲ ଦେଇଛନ୍ତି ସରକାର ।