ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା

37

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । କେନ୍ଦ୍ରାପଡ଼ା ଗହୀରମଥା ଉପକୂଳକୁ ହେବ ଅଲିଡ୍ ରିଡଲେ କଇଁଛଙ୍କ ଆଗମନ । ଏଥିପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା ଲାଗିଛି । ଆଜିଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏଥି ସହ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଛି । ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟଲ ପ୍ରୋଟେକ୍ସନ କ୍ୟାମ୍ନରେ ୩ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହେବେ ।
ସମୁଦ୍ର ଭିତରେ ମାଛଧରା ଉପରେ ଲାଗିଲା କଟକଣା । ପାରାଦୀପରେ ଆଜି ଠୁ ମେ’ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କରିଛନ୍ତି ସରକାର । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଯିବାକୁ ବାରଣ କରାଯାଇଛି । କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡାଦାନ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ କଇଁଛ । ସେମାନଙ୍କ ସୁରକ୍ଷା ପ୍ରାଧାନ୍ୟ ଦେଉଛନ୍ତି ସରକାର । ଓଡ଼ିଶାର ଦେବୀ, ରୁଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି । କଇଁଛଙ୍କ ପାଇଁ ସରକାର କଟକଣା ଲଗାଉଥିବା ବେଳେ ମତ୍ସଜୀବୀଙ୍କ ପାଇଁ ସରକାର କିଛି ଅନୁକମ୍ପା ରାଶି ପ୍ରଦାନ ନକଲେ ସେମାନେ ଚଳିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି ମତ୍ସଜୀବୀ ।