ନାକେଦମ କରୁଛି ନେସ୍କୋ: ବାଲେଶ୍ୱରରେ ଗ୍ରାହକଙ୍କୁ ନାଲି ଆଖି ଦେଖାଇ ବକେୟା ବିଲ୍ ଆଦାୟ କରୁଛି ନେସ୍କୋ । ସରକାରୀ ଅଫିସରେ ଲକ୍ଷାଧିକ ଟଙ୍କାର ବାକି ପଡିଥିଲେ ବି ତାର କାଟିବାକୁ ପାଉନି ସାହସ

422

କନକ ବ୍ୟୁରୋ: ବାଲେଶ୍ୱରରେ ବିଜୁଳି କାଟିବ ନେସ୍କୋ । ସେସୁ ଭଳି ଆକ୍ସନ ମୁଡକୁ ଆସିଛି ନେସ୍କୋ । ଗ୍ରାହକଙ୍କୁ ନାଲି ଆଖି ଦେଖାଇ ବାକି ପଡିଥିବା ବିଜୁଳି ବିଲ୍ ଆଦାୟ କରୁଛି ନେସ୍କୋ । ସରକାରୀ ଅଫିସ ହେଉ ବା ବେସରକାରୀ ଶିଳ୍ପାନୁଷ୍ଠାନ କିମ୍ବା ଘରୋଇ ଗ୍ରାହକ ସମସ୍ତେ ଜମା କରିବେ ବକେୟା ବିଲ୍ । ନଚେତ୍ ଲାଇନ କାଟି ଦେବ ନେସ୍କୋ । ବାଲେଶ୍ୱରରେ ଡାକବାଜି ଯନ୍ତ୍ର ଦ୍ୱାରା ଏଭଳି ପ୍ରଚାର କରାଯାଉଛି । ନୋଟିସ ମଧ୍ୟ ଦିଆଯାଉଛି । ହେଲେ ଏହି ପ୍ରକ୍ରିୟାରେ ବିଜୁଳି ବିଭାଗରେ ବଡ ବିଭ୍ରାଟ ସାମ୍ନାକୁ ଆସିଛି ।

ଜିଲ୍ଲାରେ ସରକାରୀ ଅଫିସରେ ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍ ବାକି ପଡିଥିବା ବେଳେ ୫ ହଜାର ଟଙ୍କା ବାକି ରଖିଥିବା ଗ୍ରାହକ ଓ ଘରୋଇ ବ୍ୟବସାୟୀଙ୍କ ବିଜୁଳି କନେକସନ୍ କାଟି ଦେଉଛି ନେସ୍କୋ । ତେଣୁ ମାର ମାର ଭଣ୍ଡାରିଆକୁ ମାର ନୀତିରେ ବାଲେଶ୍ୱରରେ ନେସ୍କୋ ବିଲ ଆଦାୟ କରୁଥିବା ଅଭିଯୋଗ ହୋଇଛି ।

୫-୧୦ ହଜାର ଟଙ୍କା ବାକି ରଖିଥିବା ଘରୋଇ ଛୋଟ ବ୍ୟବସାୟୀ ଓ ଘରୋଇ ଗ୍ରାହକଙ୍କ ଠାରୁ ନେସ୍କୋ ଟଙ୍କା ଆଦାୟ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ବାକି ରଖିଥିବା ସରକାର ଅଫିସକୁ କେବଳ ନୋଟିସ କରିଛି । ଜୁନ୍ ୨୦୧୯ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସରକାରୀ ଅଫିସର ବାକି ପଡିଥିଲା ୧୩ କୋଟିରୁ ଅଧିକ ଟଙ୍କା । ନୋଟିସ ପରେ ଯଦିଓ କିଛି ଟଙ୍କା ଜମା କରାଯାଇଛି, ଏବେ ବି କୋଟି କୋଟି ଟଙ୍କା ବକେୟା ରହିଛି । ଏବେ ନଜର ପକାନ୍ତୁ, କେଉଁ ବିଭାଗରେ କେତେ ବାକି ପଡିଛି ।

୧. ଗୃହ ଓ ଆରକ୍ଷୀ ବିଭାଗରେ ବାକି ଅଛି ୩୯ଲକ୍ଷ ୮୭ ହଜାର ଟଙ୍କା
୨. ଜନସ୍ୱାସ୍ଥ୍ୟ ବିଭାଗ ଦେଇନି ୯୨ ଲକ୍ଷର ବିଦ୍ୟୁତ୍ ବିଲ୍
୩. ସ୍କୁଲ ଓ ଗଣଶିକ୍ଷା ବିଭାଗରେ ବାକି ଅଛି ୨୮ ଲକ୍ଷ
୪. ଉଠା ଜଳସେଚନ ବିଭାଗରେ ଅଛି ୩୩ ଲକ୍ଷର ବକେୟା ବିଲ୍
୫. ଜଳ ଯୋଗାଣ ବିଭାଗ ଦେଇନାହିଁ ୨୦ ଲକ୍ଷ
୬. ପଂଚାୟତିରାଜ ବିଭାଗରେ ୨୬ ଲକ୍ଷ ୩୯ ହଜାର, ଶିଳ୍ପ ଓ ଉନ୍ନୟନ ନିଗମରେ ପ୍ରାୟ ୧୬ ଲକ୍ଷ… କୃଷି ବିଭାଗରେ ୩ ଲକ୍ଷ ୮୬ ହଜାର, ମତ୍ସ୍ୟ ଓ ପଶୁ ସଂପଦ ବିଭାଗରେ ୩ ଲକ୍ଷ ୮୩ ହଜାର… ବାଣିଜ୍ୟ ଓ ପରିବହନ ବିଭାଗରେ ବାକି ଅଛି ୧୦ ଲକ୍ଷରୁ ଅଧିକ ଟଙ୍କାର ବିଜୁଳି ବିଲ୍ ।

ବାଲେଶ୍ୱର ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ କୋଟି କୋଟି ଟଙ୍କାର ବକେୟା ବିଲ୍ ଥିବା ବେଳେ ଗତ ପଂଚାୟତ ନିର୍ବାଚନରେ ପୌର ପରିଷଦରେ ବାକି ଥିବା ୪୦ କୋଟିରୁ ୨୦ କୋଟି ଛାଡ କରାଯାଇଛି । ତେବେ ବାକି ପଡିଥିବା ବିଜୁଳି ବିଲ୍ ନଦେଲେ ଆସନ୍ତା ୧୫ ଦିନ ଭିତରେ ସରକାରୀ ଅଫିସରୁ ବି ଲାଇନ୍ କାଟି ଦିଆଯିବ ବୋଲି କହିଛନ୍ତି ।