ନେପାଳ : କେ.ପି ଓଲିଙ୍କୁ ଝଟକା । ଶେର୍ ବାହାଦୂରଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସୁପ୍ରିମକୋର୍ଟର୍ଙ୍କ ନିର୍ଦ୍ଦେଶ

180

କନକ ବ୍ୟୁରୋ : ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ନେପାଳ ସୁପ୍ରିମକୋର୍ଟ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ମୁକ୍ତ କରି ଶେର୍ ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଲଗାତର ଭାବେ ଦ୍ୱିତୀୟଥର ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି ।

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ୫ ମାସ ମଧ୍ୟରେ ଦ୍ୱିତୀୟ ଥର ମେ ୨୨ ତାରିଖରେ ସଂସଦର ତଳ ସଦନକୁ ଭଙ୍ଗ କରିଥିଲେ । ଏହାସହ ରାଷ୍ଟ୍ରପତି ନଭେମ୍ବର ୧୨-୧୯ ମଧ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ୩୦ ଟି ଆବେଦନ ଦାଖଲ କରାଯାଇଥିଲା । ଯାହାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଶେର୍ ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦାଖଲ ହୋଇଥିବା ଆବେଦନ ମଧ୍ୟରେ ନେପାଳ ବିରୋଧୀଦଳ ପକ୍ଷରୁ କୋର୍ଟରେ ଏକ ଆବେଦନ କରାଯାଇ କୁହାଯାଇଥିଲା କି ନେପାଳ ସଂସଦର ପୁନଃ ସ୍ଥାପନା କରାଯିବା ସହ ବିରୋଧୀଦଳ ନେତା ଶେର୍ ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଉ ।

କହିରଖୁ କି ବର୍ତମାନ ନେପାଳର ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲିଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ୨୭୫ ଆସନ ବିଶିଷ୍ଠ ନେପାଳ ସଂସଦରେ ଓଲି ବହୁମତ ହରାଇ ସାରିଛନ୍ତି । ଏହାସହ ଜୁଲାଇ ୨୦ ସୁଦ୍ଧା ବହୁମତ ପ୍ରମାଣ କରିବାକୁ ସେ ରାଷ୍ଟ୍ରପତିଙ୍କ ଠାରେ ଲିଖିତ ଭାବେ କହିଛନ୍ତି ।

ଶେର୍ ବାହାଦୂର ଦେଓବା ନେପାଳର ବରିଷ୍ଠ ବିରୋଧୀଦଳ ନେତା । ସେ ନେପାଳର ୪୦ ତମ ପ୍ରଧାନମନ୍ତ୍ରୀ ଭାବେ ୨୦୧୭ ରେ ଶପଥ ନେଇଥିଲେ । ସେ ୧୯୯୫-୯୭ , ୨୦୦୧-୨୦୦୨,୨୦୦୪-୨୦୦୫ ପର୍ଯ୍ୟନ୍ତ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏବେ ସେ ନେପାଳ କଂଗ୍ରେସର ଅଧ୍ୟକ୍ଷ ରହିଛନ୍ତି ।