ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ ରାଷ୍ଟ୍ରପତି

ଆସନ୍ତା ବର୍ଷ ଅପ୍ରିଲ ୩୦ରୁ ମେ ୧୦ ଭିତରେ ହେବ ସାଧାରଣ ନିର୍ବାଚନ; ନେପାଳରେ ଜୋରଦାର ବିରୋଧ ପ୍ରଦର୍ଶନ

76

କନକ ବ୍ୟୁରୋ : ନେପାଳରେ ରାଜନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ନେପାଳରେ ଏକ ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜେ କ୍ୟାବିନେଟ ସୁପାରିଶକୁ ଧରି ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲେ । ଏହା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ସୁପାରିଶକୁ ଔପଚାରିକ ମଂଜୁରୀ ଦେଇଥିବା ସୂଚନା ମିଳିଛି ।

ଆସନ୍ତା ବର୍ଷ ଅପ୍ରେଲ ୩୦ ଓ ମେ ୧୦ ତାରିଖ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କେପି ଓଲିଙ୍କ ଏହି ନିଷ୍ପତିକୁ ତାଙ୍କ ଦଳ ସମେତ ନେପାଳରେ ଜୋରଦାର ବିରୋଧ କରାଯାଉଛି । ତେବେ ନେପାଳ ସମ୍ବିଧାନରେ ସଂସଦ ଭଙ୍ଗ ନେଇ କୌଣସି ବ୍ୟବସ୍ଥା ନଥିବାରୁ ଏହି ନିଷ୍ପତିକୁ ନ୍ୟାୟାଳୟରେ ଚାଲେଞ୍ଜ କରିପାରିବେ ବିରୋଧୀ ଦଳ । ଗଣମାଧ୍ୟମର ଖବର ଅନୁସାରେ ସମ୍ବିଧାନିକ ପରିଷଦ ଅଧିନିୟମ ସଂପର୍କିତ ଏକ ଅଧ୍ୟାଦେଶକୁ ପ୍ରତ୍ୟାହାର ପାଇଁ ଓଲିଙ୍କ ଉପରେ ଚାପ ପକାଉଥିଲେ ବିରୋଧୀ ଦଳ ।

ଯାହାକୁ ନେଇ ଗତକାଲି ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଆଶା କରାଯାଉଥିଲା କ୍ୟାବିନେଟ ବୈଠକରେ ଅଧ୍ୟାଦେଶ ପ୍ରତ୍ୟାହାରକୁ ମଂଜୁରୀ ଦିଆଯିବ, ହେଲେ ବୈଠକରେ ସଂସଦ ଭଙ୍ଗ ପାଇଁ ସୁପାରିଶକୁ ମଂଜୁରୀ ଦିଆଯାଇଥିଲା । ଅଧ୍ୟାଦେଶକୁ ନେଇ ବିରୋଧୀ ଦଳ ସହ ମତାନ୍ତର ପରେ ବେଇଜ୍ଜତରୁ ବଂଚିବା ପାଇଁ କେପି ଓଲି ସଂସଦ ଭଙ୍ଗ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।