ନେପାଳ ପୋଖରା ବିମାନ ବନ୍ଦର ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଟ୍ୱେଂଟି ଫର ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନ ୧୫ ବର୍ଷ ପୁରୁଣା ଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିମାନଟି ଏକ ପୁରୁଣା ଟ୍ରାନ୍ସପଣ୍ଡର ସହିତ ଚାଲିଥିଲା । ଗତକାଲି ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୭୨ ଜଣ । ଯେଉଁଥିରେ ୫ ଜଣ ଭାରତୀୟ ଥିଲେ । ଏଥିମଧ୍ୟରୁ ୪ ଜଣ ଉତରପ୍ରଦେଶର ଗାଜୀପୁର ଜିଲ୍ଲାର ।
ତେବେ ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିଥିବା ଲୋକେ ବୟାନ କରିଛନ୍ତି । ଏହି ବିମାନ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ବଖାଣିଛନ୍ତି । ଘଟଣାକୁ ଦେଖିଥିବା ଲୋକେ କହିଛନ୍ତି, ମକର ସଂକ୍ରାନ୍ତି ପାଇଁ ସମସ୍ତେ ଘରେ ଥିଲେ । ଘରର ବାଲକୋନିରେ ବସି କଥା ବାର୍ତ୍ତା ହେଉଥିଲେ, ଠିକ୍ ଏହି ସମୟରେ ଆକାଶରୁ ବିମାନ ତଳକୁ ଖସୁଥିବାର ଦେଖିଥିଲେ । ବିମାନଟି ଅଚାନକ ଆକାଶରେ ଓଲଟିବା ଆରମ୍ଭ କରିଦେଲା, ଆଉ ତଳକୁ ଖସିପଡିଲା । ତଳକୁ ଖସିବା ପରେ ଏକ ବିସ୍ଫୋରଣର ଶବ୍ଦ ଆସିଲା । ଚାରିଆଡେ ଧୂଆଁମୟ ହୋଇଗଲା । ଛୋଟ ପିଲା ଚିତ୍କାର କରି ଘର ଭିତରକୁ ପସିଗଲେ ।
ବିମାନଟି ସକାଳ ପ୍ରାୟ ୧୧ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିମାନର ଗୋଟିଏ ପଙ୍ଖ ଉଡିକି ଜଣେ ଲୋକଙ୍କ ଘର ନିକଟରେ ପଡିଥିଲା । ବିମାନର ଆଗ ଭାଗ ଘାଟିରେ ମାଡ ହୋଇ ପୋଖରାର ନୂଆଗାଁରେ ପଡିଥିବା ବେଳେ ବିମାନର ପଛ ଭାଗ ଘାଇରେ ଗଳିପଡିଥିବା ସ୍ଥାନୀୟ ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି ।
ସେହିପରି ୧୧ ବର୍ଷିୟ ସମୀର ଏବଂ ପ୍ରଜ୍ୱଳଙ୍କ କହିବା ଅନୁସାରେ, ସେ ଯେତେବେଳେ ନିକଟସ୍ଥ ଅଞ୍ଚଳରେ ଖେଳୁଥିଲେ ସେତେବେଳେ ବିମାନ କ୍ରାସ୍ ହୋଇଥିଲା । ପ୍ରଥମେ ସେ ଯେତେବେଳେ ଆକାଶରେ ବିମାନକୁ ଦେଖିଥିଲେ ସେତେବେଳେ ଦୁଇସାଙ୍ଗ ଭାବିଥିଲେ ଏହା ବୋଧ ହୁଏ କୌଣସି ଖେଳନା । କିନ୍ତୁ ବିମାନ ନିକଟକୁ ଆସିବା ପରେ ଦୁଇ ସାଙ୍ଗ ଭୟରେ ଘରକୁ ଦୌଡିଥିଲେ ।