କନକ ବ୍ୟୁରୋ: ନେପାଳ ବୁଲିବାକୁ ଯାଇଥିବା ଏହି ପରିବାର ପାଇଁ ନେପାଳ ଯାତ୍ରା ଶେଷ ଯାତ୍ରା ପାଲଟିଗଲା । ନେପାଳର ମୁସ୍ତାଙ୍ଗର ପାହାଡିଆ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଏହି ପରିବାର । ସ୍ୱାମୀ- ଅଶୋକ ତ୍ରିପାଠୀ, ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର, ପୁଅ ଧନୁଷ ଓ ଝିଅ ରିତିକା ଏକାଠି ନେପାଳ ଯାତ୍ରା କରିଥିଲେ । କିଛି ବର୍ଷ ପୂର୍ବରୁ ଅଶୋକ ଓ ବୈଭବୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ପୁଅ ଓ ଝିଅ ମାଆ ବୈଭବୀଙ୍କ ସହ ମୁମ୍ବାଇରେ ରହୁଥିଲେ ଆଉ ଅଶୋକ ଭୁବନେଶ୍ୱରର ଏକ କଂପାନୀରେ ଚାକିରୀ କରୁଥିଲେ । ବିଚ୍ଛେଦ ସତ୍ୱେ ଫ୍ୟାମଲି କୋର୍ଟଙ୍କ ନିଷ୍ପତି ଅନୁସାରେ ପୁଅ-ଝିଅଙ୍କ ପାଇଁ ପ୍ରତିବର୍ଷ ୧୦ଦିନ ଏକାଠି ବିତାଉଥିଲେ ଅଶୋକ ଓ ବୈଭବୀ । ଏଥର ପୁରା ପରିବାର ଯାଇଥିଲେ ନେପାଳ ।

Advertisment

ନେପାଳର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ଭଗ୍ନାବଶେଷ ଚିତ୍ର ସାମ୍ନାକୁ ଆସିଛି । ମୁସ୍ତାଙ୍ଗ ଜିଲ୍ଲାର ପାହାଡିଆ ଅଂଚଳରେ ଠାବ ହୋଇଛି ବିମାନ ଭଗ୍ନାବଶେଷ । ପାହାଡ ଶିଖରରେ ବିମାନ ପିଟିହେବାରୁ ଦୁର୍ଘଟଣା ଘଟିଥିବା ଓ ସମସ୍ତ ଯାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବର୍ତମାନ ସୁଦ୍ଧା ଉଦ୍ଧାରକାରୀ ଦଳ ୨୧ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ପାହାଡ ଶିଖରର ଶହେ ମିଟର ପରିସରରେ ଏଣେ ତେଣେ ପଡି ରହିଥିବା କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିବା କାମ ଜାରି ରହିଛି । ତାରା ଏୟାର ଲାଇନ୍ସର ବିମାନ ୨୨ ଜଣ ଯାତ୍ରୀଙ୍କୁ ନେଇ ପୋଖରାରୁ ଜୋମସେମ ବାହରିବାର କିଛି ସମୟ ପରେ ମୁସ୍ତାଙ୍ଗର ପାହାଡିଆ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।