ଭାରତୀୟ ସୀମାର ୪୦୦ ମିଟର ଭିତରେ ଉଡିଲା ନେପାଳ ବିମାନ । କିଛି ଏମିତି କାରଣ ଦେଲା ନେପାଳ?

216

କନକ ବ୍ୟୁରୋ : ଭାରତୀୟ ସୀମା ମଧ୍ୟକୁ ପୁଣିଥରେ ପଶିଲା ନେପାଳ ବିମାନ । ଆଉ ହଠାତ୍ ନେପାଳ ବିମାନକୁ ଭାରତ ସୀମାରେ ଉଡୁଥିବାର ଦେଖି ସୁରକ୍ଷାବାହିନୀ ମଧ୍ୟ ଆଲର୍ଟ ମୋଡକୁ ଆସିଛି । ମିଳିଥିବା ସୂଚନା ମୁତାବକ, ନେପାଳକୁ ଲାଗି ରହିଥିବା ବିହାରର ମହାରାଜଗଞ୍ଜ ଜିଲ୍ଲାରେ ନେପାଳର ଏକ ବିମାନ ବେଶ କିଛି ସମୟ ଉଡୁଥିବାର ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଭାରତୀୟ ସୀମାରେ ରହିବା ପରେ ପୁଣିଥରେ ନେପାଳ ସୀମାକୁ ଫେରିଯାଇଥିଲା ବିମାନ ।

ସୂଚନା ମୁତାବକ, ନେପାଳର ଗୌତମ ବୁଦ୍ଧ ବିମାନବନ୍ଦରରେ ଲ୍ୟାଣ୍ଡିଂ ସମୟରେ ଏକ ବିମାନ ଭାରତୀୟ ସୀମାର ୪୦୦ ମିଟର ଭିତରକୁ ପଶି ଆସିଥିଲା । ଶୁକ୍ରବାର ମଧ୍ୟାହ୍ନ ୧ଟା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା ।ଖରାପ ପାଗ ଓ ଲ୍ୟାଣ୍ଡିଂ ସିଗନାଲ ନ ମିଳିବା ଦ୍ୱାରା ଏଭଳି ସମସ୍ୟା ଦେଖାଦେଇଥାଏ । ଯେତେବେଳେ ଉତ୍ତର ଦିଗରେ ପାଗ ଖରାପ ହୁଏ ସେତେବେଳେ ଲ୍ୟାଣ୍ଡିଂ ପାଇଁ ବିମାନକୁ ଦକ୍ଷିଣରୁ ଆସିବାକୁ ପଡିଥାଏ ।ଯାହାଫଳରେ ଭାରତୀୟ ସୀମା ଉପରେ ଉଡିବାକୁ ପଡିଥାଏ । କେବଳ ପାଗ ଖରାପ ରହିଲେ ହିଁ ଏଭଳି ସମସ୍ୟା ଦେଖାଦିଏ ।

ନେପାଳର ଅଧିକାରୀ କହିଛନ୍ତି, ଗୌତମ ବୁଦ୍ଧ ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାକୁ ୪ କିଲୋମିଟର ପରିଧି ଆବଶ୍ୟକ । ଦକ୍ଷିଣ ଦିଗରୁ ବିମାନବନ୍ଦରର ୩ କିଲୋମିଟର ଦୂରରେ ଭାରତୀୟ ସୀମା ପଡିଥାଏ । ତେଣୁ ପାଗ ଖରାପ ରହିଲେ ଓ ଦକ୍ଷିଣ ଦିଗରୁ ବିମାନ ଲ୍ୟାଣ୍ଡିଂ କଲେ ଭାରତୀୟ ସୀମା ଦେଇ ଆସିବାକୁ ପଡିଥାଏ । ତେବେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଗୋରଖପୁର, ବାରଣାସୀ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ ଠାରୁ ପାଇଲଟଙ୍କୁ ଅନୁମତି ନେବାକୁ ପଡିଥାଏ । ତେବେ ଏହା ପ୍ରଥମଥର ନୁହେଁ ଯେତେବେଳେ ଭାରତୀୟ ସୀମା ମଧ୍ୟରେ ନେପାଳର କୌଣସି ବିମାନ ଉଡିଛି । ଏହାପୂର୍ବରୁ ମଧ୍ୟ ଅନେକଥର ନେପାଳ ବିମାନ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଛି । କୌଣସି ବିଦେଶ ବିମାନ ଭାରତୀୟ ସୀମା ମଧ୍ୟରେ ଉଡିବା ମାତ୍ରେ ରାଡାର ଜରିଆରେ ସୂଚନା ମିଳିଥାଏ ।