କନକ ବ୍ୟୁରୋ : ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ ୮ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ରାୟ କାଠମାଣ୍ଡୁର ଏକ କୋର୍ଟ ବୁଧବାର ଦିନ ଶୁଣାଇଛନ୍ତି । ଏହି ମାମଲାରେ ସନ୍ଦୀପଙ୍କୁ ୧୦ ଦିନ ତଳେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏବଂ ଆଜି ଦଣ୍ଡବିଧାନ କରିଛନ୍ତି । ୨୩ ବର୍ଷିୟ ସନ୍ଦୀପ ନେପାଳ କ୍ରିକେଟର ଜଣେ ବଡ ଚେହେରା ସେ ଆଇପିଏଲ ମଧ୍ୟ ଖେଳିଛନ୍ତି ।
କାଠମାଣ୍ଡୁ କୋର୍ଟର ଜଷ୍ଟିସ ଶିଶିର ରାଜ ଢକାଲଙ୍କ ପୀଠ ଜାନୁଆରୀ ୧୦ ତାରିଖରେ ଦଣ୍ଡବିଧାନ କରିଛନ୍ତି । ଏଥିରେ ୮ ବର୍ଷ ଜେଲଦଣ୍ଡ ସହ କ୍ଷତିପୂରଣ ମଧ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଜଣେ ନାବାଳିକା କାଠମାଣ୍ଡୁର ଏକ ଥାନାରେ ସନ୍ଦୀପଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯେଉଁ ସମୟରେ ନାବାଳିକା ଜଣଙ୍କ ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ, ସେତେବେଳେ ସନ୍ଦୀପ ୱେଷ୍ଟଇଣ୍ଡିଜରେ କାରବିୟାନ ପ୍ରିମିୟର ଲିଗ ପାଇଁ ଖେଳୁଥିଲେ । ଏହି ସମୟରେ ପୋଲିସ ୱାରେଣ୍ଟ ଜାରି କରିଥିଲା ଓ ସନ୍ଦୀପ ନେପାଳ ଫେରିଆସିଥିଲେ ।
ସନ୍ଦୀପଙ୍କ ନାମରେ ୩ଟି ବିଶ୍ୱ ରେକର୍ଡ ରହିଛି । ସେ ୧୦୦ଟି ଅନ୍ତର୍ଜାତୀୟ ୱିକେଟ ହାସଲ କରିଛନ୍ତି । ସନ୍ଦୀପ ମାତ୍ର ୪୨ଟି ମ୍ୟାଚ ଖେଳି ୧୦୦ ୱିକେଟ ହାସଲ କରିଥିଲେ ।