କନକ ବ୍ୟୁରୋ : ଏକ ନୂଆ ପ୍ରକାରର ଭୁତାଣୁ ନିଓକୋଭକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଭୂତାଣୁ ତିନି ଜଣରେ ଜଣଙ୍କୁ ମାରି ଦେଇପାରେ ଓ ଏହା ଅତ୍ୟନ୍ତ ସଂକ୍ରାମକ ବୋଲି ମଧ୍ୟ କୁହାଯାଉଛି । ଏହି ନୂଆ ଭୂତାଣୁ ଦକ୍ଷିଣ ଆଫ୍ରିକାରେ ବାଦୁଡିରେ ମିଳିଥିଲା ଏବଂ ଏହା ମଣିଷକୁ ସଂକ୍ରମିତ କରିପାରେ ବୋଲି କୁହାଯାଉଛି । ହେଲେ ବିଶେଷଜ୍ଞ କହିଛନ୍ତି, ନିଓକୋଭକୁ ନେଇ ଅଯଥା ଡରାଅନି । ଏହା ଉପରେ ବୈଜ୍ଞାନିକ ସମୀକ୍ଷା କରାଯାଇନାହିଁ ।

Advertisment

ଚାଇନିଜ୍ ବୈଜ୍ଞାନିକ କହିଛନ୍ତି, ନିଓକୋଭର ଏକ ରିସେପ୍ଟର ରହିଛି, ଯାହାକି ମର୍ସକୋଭର ଅନୁରୂପ । ଏହା ବାଦୁଡିର ଏସିଇ୨ ରିସେପ୍ଟର ବ୍ୟବହାର କରିଥାଏ । ହେଲେ ଏହା କୌଣସି ମ୍ୟୁଟେସନ୍ ବିନା ମଣିଷର ଏସିଇ୨ ରିସେପ୍ଟର ବ୍ୟବହାର କରିପାରିବ ନାହିଁ । ମହାରାଷ୍ଟ୍ର କୋଭିଡ୍ ଟାସ୍କଫୋର୍ସର ସଦସ୍ୟ ଡକ୍ଟର ଶଶାଙ୍କ ଯୋଶୀ କହିଛନ୍ତି, ନିଓକୋଭ ବାଦୁଡିରୁ ମିଳୁଛି ଏବଂ ଏହା କେବେହେଲେ ମଣିଷକୁୁ ସଂକ୍ରମିତ ହୋଇନାହିଁ । ଏହା ମର୍ସକୋଭ୍‌ର ନିକଟତର ହୋଇଥିବାରୁ ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ଅନୁମାନ କରି କୁହାଯାଇଛି ।

ମର୍ସକୋଭ୍ ଏକ ମାରାତ୍ମକ ଭୂତାଣୁ ଏବଂ ଅତୀତରେ ଏହା ଯୋଗୁ ମଧ୍ୟପ୍ରାଚ୍ୟର ବହୁ ଲୋକ ମରିଛନ୍ତି। କିନ୍ତୁ ଏହା ମହାମାରୀ  କରିନାହିଁ । ଯେତେବେଳେ ଯେଉଁ ଭୂତାଣୁ ଆବିଷ୍କୃତ ହେଲା ତାହା ଯେ ମହାମାରୀ ରଚିବ ସେମିତି କିଛି କଥା ନାହିଁ । ପ୍ରାଣୀ ଦେହରୁ ମଣିଷକୁ ସଂକ୍ରମିତ ହେଉଥିବା ଅଣୁଜୀବଗୁଡ଼ିକ ଉପରେ ନଜର ରଖାଯାଉଛି । ଆମେ ସତର୍କ ରହିବା ଭଲ ମାତ୍ର ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରୱାଲ କହିଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ ନିଓକୋଭ୍‌ ବାଦୁଡ଼ି ଦେହରୁ ମଣିଷ ଦେହକୁ ଆସି କୌଣସି ରୋଗ ସୃଷ୍ଟି କରିବାର ଆଶଙ୍କା ନାହିଁ । ଗବେଷକମାନେ ସ୍ପଷ୍ଟ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଏହି ଭୂତାଣୁ ମଣିଷ ଦେହକୁ ଆସିପାରିବ ନାହିଁ । ତେବେ ଯଦି ଏହି ଭୂତାଣୁଠାରେ କୌଣସି ମ୍ୟୁଟେସନ ସୃଷ୍ଟି ହୁଏ ତେବେ ଏହା ମଣିଷକୁ ସଂକ୍ରମିତ ହୋଇପାରେ । ଏହା କେବଳ ବିଜ୍ଞାନାଗାର ଗବେଷଣାର ବସ୍ତୁ। ଏହାକୁ ନେଇ କେହି ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଭାରତ ଏଭଳି ପ୍ରଜାତି ଉପରେ ସତର୍କ ନଜର ରଖିଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର ମହାମାରୀ ରୋଗ ବିଭାଗର ମୁଖ୍ୟ ଡ. ସମୀରଣ ପଣ୍ଡା କହିଛନ୍ତି । ଏହି ପ୍ରଜାତି ଦ୍ବାରା ଭାରତ ତଥା ବିଶ୍ବ ପ୍ରତି କିଭଳି ବିପଦ ରହିଛି ସେ ସଂପର୍କରେ ଏବେଠାରୁ କିଛି କହିହେବ ନାହିଁ ବୋଲି ଡ. ପଣ୍ଡା ‘ଦ ନିଉ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’କୁ କହିଛନ୍ତି । ଏ ପର୍ଯ୍ୟନ୍ତ ଏହି ଭୂତାଣୁ ମାନବ ଦେହରେ ସଂକ୍ରମିତ ହେବାନେଇ ରିପୋର୍ଟ ନଥିବାରୁ ଏ ବାବଦରେ ଅଧିକ ଗବେଷଣା ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ ।