ଓଡିଶାରେ ଆଲୋଚନା କରି ସୀମାରେ ଚକ୍ରାନ୍ତ କରୁଛି ପଡୋଶୀ । ଆନ୍ଧ୍ରରେ ମିଶିବା ପାଇଁ ସମର୍ଥନ ପତ୍ର ହାସଲ କରୁଛନ୍ତି ଅଧିକାରୀ ।

97

କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ରର ନୂଆ ଚାଲ ସାମ୍ନାକୁ ଆସିଛି । କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଷଡଯନ୍ତ୍ର ରଚିଛି ଆନ୍ଧ୍ର । ଏହି ଷଡଯନ୍ତ୍ର କଥା ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହେବେ । କୋଟିଆର କିଛି ଗାଁରୁ ଆନ୍ଧ୍ରର ଅଧିକାରୀମାନେ ସମର୍ଥନ ପତ୍ର ଯୋଗାଡ କରୁଛନ୍ତି । ଏହି ସମର୍ଥନ ପତ୍ରରେ କୋଟିଆବାସୀଙ୍କର ହସ୍ତାକ୍ଷର ରହୁଛି । ସୁପ୍ରିମକୋର୍ଟରେ ଏହି ମାମଲା ଚାଲିଥିବାରୁ, ଆଶା କରାଯାଉଛି ଆନ୍ଧ୍ର ସରକାର ଏହି ସମର୍ଥନ ପତ୍ର ସୁପ୍ରିମକୋର୍ଟରେ ଦେଖାଇପାରନ୍ତି । ଏପଟେ ଆଉ ଏକ ଘଟଣାକ୍ରମରେ ଆନ୍ଧ୍ରର ସାଲୁର ବିଧାୟକ ଏକ ଫେସବୁକ ପୋଷ୍ଟ କରି କହିଛନ୍ତି, କୋଟିଆର ଲୋକମାନେ ହସ୍ତାକ୍ଷର କରିବାକୁ ଆନ୍ଧ୍ରରେ ମିଶିବା ପାଇଁ ଆନ୍ଧ୍ର ସରକାରଙ୍କୁ ଆବେଦନ କରିଛନ୍ତି ।

କୋଟିଆ ଗ୍ରାମପୁଞ୍ଜର ଧୂଳିପଦର, ଫାଟୁସିନେରି, ଫଗୁଣସିନେରି ଓ ନାରିଡିବାଲସା ଗାଁରେ ଗତ ୩-୪ ଦିନ ହେଲା ଆନ୍ଧ୍ର ଅଧିକାରୀଙ୍କ ସର୍ଭେ ଚାଲିଛି । ଜଙ୍ଗଲ ଭିତରେ ଗାଁଗୁଡିକରେ ଆନ୍ଧ୍ର ଅଧିକାରୀଙ୍କ ସର୍ଭେ ଓଡିଶାକୁ ଆଶ୍ଚର୍ଯ୍ୟ କରିଛି । ଏମାନେ ଓଡିଶା ଲୋକଙ୍କଠାରୁ ଆନ୍ଧ୍ରରେ ମିଶିବା ପାଇଁ ସମର୍ଥନ ପତ୍ର ହାସଲ କରୁଛନ୍ତି । ତେଲୁଗୁରେ ଲେଖାଯାଇଥିବା ସେହି ସମର୍ଥନ ପତ୍ରରେ ଯେଉଁ ବ୍ୟକ୍ତି ହସ୍ତାକ୍ଷର କରିଛନ୍ତି ସେ ଘୋଷଣା କରୁଛନ୍ତି ଯେ, ସେ ଆନ୍ଧ୍ରରେ ମିଶିବାକୁ ଚାହାନ୍ତି । ଅର୍ଥାତ ଏହି ଅଞ୍ଚଳର ଲୋକମାନେ ହସ୍ତାକ୍ଷର କରି ଆନ୍ଧ୍ର ପ୍ରଶାସନକୁ ଜଣାଉଛନ୍ତି ଯେ, ସେମାନେ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି । ଆଉ ଆନ୍ଧ୍ରର ଏଭଳି ଭୟଙ୍କର ଚାଲ ଏବେ ସାମ୍ନାକୁ ଆସିଛି ।

ଆନ୍ଧ୍ରର ସାଲୁରୁ ବିଧାୟକ ତଥା ମୁଖମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଖାସ ଲୋକ ଫେସବୁକ ପୋଷ୍ଟକରି କହିଛନ୍ତି କୋଟିଆର ଲୋକମାନେ ବିଜୟନଗରମ ଜିଲ୍ଲାପାଳ, ଏସପି ଓ ପାର୍ବତୀପୁରମ ଆଇଟିଡିଏ ଅଧିକାରୀଙ୍କୁ ଅନୁରୋଧ ପତ୍ର ଲେଖି ଜଣାଇଛନ୍ତି ସେମାନେ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି । ସାଲୁର ବିଧାୟକ ଆହୁରି ମଧ୍ୟ ଲେଖିଛନ୍ତି, ଏହା ଏକ ଖୁସିର କଥା ଯେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏ ଦିଗରେ ପଦକ୍ଷେପ ନେଇଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଆଲୋଚନାକୁ ମଧ୍ୟ ସାଲୁର ବିଧାୟକ ଏ ଦିଗରେ ଏକ ବଡ ପଦକ୍ଷେପ ବୋଲି ଇସାରା କରିଛନ୍ତି ।

ସାଲୁରୁ ବିଧାୟକଙ୍କ ଏଭଳି ପେସବୁକ ପୋଷ୍ଟ ଆସିବା ପରେ ବିଧାୟକ ତାରା ବାହିନିପତି ଟ୍ୱିଟ କରି କହିଛନ୍ତି ଆନ୍ଧ୍ରପ୍ରଦେଶର ଅଧିକାରୀ ଜୋରଜବରଦସ୍ତ ଆନ୍ଧ୍ରରେ ମିଶିବା ପାଇଁ ଏଭଳି ହସ୍ତାକ୍ଷର କରାଇବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସାଲୁର ବିଧାୟକ କେବଳ କୋରାପୁଟବାସୀ ନୁହେଁ ଓଡିଶା ଓ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅପମାନ ଦେଇଛନ୍ତି ବୋଲି କହିଛନ୍ତି । ଗୋଟିଏ ପଟେ ଆନ୍ଧ୍ରର ଅଧିକାରୀମାନେ ଆସି ସମର୍ଥନପତ୍ର ହାସଲ କରିଛନ୍ତି ଏବଂ ଅନ୍ୟପଟେ ସାଲୁର ବିଧାୟକ ଏ ସମ୍ପର୍କରେ ଫେସବୁକ ପୋଷ୍ଟକରି ସୂଚନା ଦେଉଛନ୍ତି । ତେଣୁ ଆନ୍ଧ୍ରର ଚାଲ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି ।