କନକ ବ୍ୟୁରୋ: କିଛି ଦିନ ତଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ କୋଟିଆ ପ୍ରସଙ୍ଗର ସମାଧାନ ବାହାରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସ୍ଥିତିକୁ ଅଧିକ ଗୋଳିଆ କରି ଫାଇଦା ନେବାକୁ ଗୋଟିଏ ପରେ ଗୋଟିଏ ଚେଷ୍ଟା ଚଳାଇଛି ଆନ୍ଧ୍ର ।
କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଦୋ-ମୁହାଁ ନୀତି ପୁଣି ସାମ୍ନାକୁ ଆସିଛି । ଓଡିଶା ଲୋକଙ୍କୁ ହଇରାଣ କରିବାକୁ କୋଟିଆରେ ଚେକପୋଷ୍ଟ କରିଛି ଆନ୍ଧ୍ରପ୍ରଦେଶ । କୋଟିଆ ପଞ୍ଚାୟତର ନାରେଡିବାଲସାରେ ଚେକପୋଷ୍ଟ କରିଛି ଆନ୍ଧ୍ର । ପୂର୍ବରୁ ଓଡିଶା ପକ୍ଷରୁ ଏଭଳି ଚେକପୋଷ୍ଟ କରାଯାଇଥିଲା । ଏବେ ଆନ୍ଧ୍ର ବ୍ୟାରିକେଡ ଲଗାଇ ରାସ୍ତାକୁ ଆହୁରି ସଙ୍କୁଚିତ କରିଦେଇଛି । ଆନ୍ଧ୍ର ପୁଲିସ ଗାଡି ଯାଞ୍ଚ କରୁଛି । ଆନ୍ଧ୍ର ନମ୍ବର ଥିବା ଗାଡିକୁ ବିନା ଯାଞ୍ଚରେ ଛାଡି ଦେଉଥିବା ବେଳେ ଓଡିଶା ନମ୍ବର ଥିବା ଗାଡିକୁ ଜାଣିଶୁଣି ଅଟକାଉଥିବା ଅଭିଯୋଗ ହୋଇଛି ।
କୋଟିଆ ଉପରୁ ନଜର ହଟାଉନି ଆନ୍ଧ୍ର । କୋଟିଆ ଗ୍ରାମପୁଞ୍ଜରେ ଗୋଟିଏ ପରେ ଗୋଟିଏ ଚାଲ ଚଳାଇ କୋଟିଆକୁ ନିଜ ଦଖଲକୁ ନେବାକୁ ଚେଷ୍ଟା କରୁଛନ୍ତି ଆନ୍ଧ୍ର ଅଧିକାରୀ । ଫଳରେ ଦୁଇ ରାଜ୍ୟ ମଧ୍ୟରେ ଅଶାନ୍ତି ବଢ଼ୁଛି । ତେବେ ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କିଛି ଦିନ ତଳେ କୋଟିଆରେ ସର୍ଭେ କରିବାକୁ ଆସିଥିଲେ ଆନ୍ଧ୍ର ଅଧିକାରୀ । ପଟାଙ୍ଗୀ ବିଧାୟକ ଏହାକୁ ବିରୋଧ କରିବାରୁ ତାଙ୍କ ଯୋଜନା ପଣ୍ଡ ହୋଇଥିଲା । ସେହିଭଳି ଧୂଳିପଦରରେ ବି ପଶିଥିଲେ ଆନ୍ଧ୍ର ଅଧିକାରୀ । ସେଠାରେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଉଥିବା ରାସ୍ତାକାମକୁ ଅଟକାଇଥିଲା ଆନ୍ଧ୍ର ପୁଲିସ ।
କୋଟିଆରେ ଆନ୍ଧ୍ରର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସବୁଦଳର ସ୍ଥାନୀୟ ନେତା ଏକାଠି ହୋଇ ଆନ୍ଧ୍ର ଅଧିକାରୀଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବାର ଦୃଶ୍ୟ ମଧ୍ୟ ପୂର୍ବରୁ ଆସିଥିଲା । ହେଲେ ଏସବୁ ଯେମିତି ଆନ୍ଧ୍ରକୁ ରୋକିବାକୁ କମ୍ ପଡ଼ୁଥିବା ମନେ ହେଉଛି ।