ମୋଦୀଙ୍କ ତୃତୀୟ ପାଳିରେ କୌଣସି ମୁସଲମାନ ନେତାଙ୍କୁ ମିଳିଲା ନାହିଁ ମନ୍ତ୍ରୀପଦ, ମନ୍ତ୍ରୀମଣ୍ଡଳରେ ବଢିଲା ଅଳ୍ପଶିକ୍ଷିତଙ୍କ ସଂଖ୍ୟା

502

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସ୍ୱାଧୀନ ଭାରତ ଇତିହାସରେ ଏହା ଦ୍ୱିତୀୟ ଘଟଣା । ପଣ୍ଡିତ ଜବାହରଲାଲ ନେହେରୁଙ୍କ ପରେ ନରେନ୍ଦ୍ର ମୋଦୀ ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ହେଲେ ନେହେରୁଙ୍କ ତୃତୀୟ ପାଳି ଓ ମୋଦୀଙ୍କ ତୃତୀୟ ପାଳିରେ ଅନେକ ଫରକ ରହିଛି ।

୧୯୬୨ ମସିହାରେ ନେହେରୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ମନ୍ତ୍ରୀମଣ୍ଡଳରେ ୨୧ ମନ୍ତ୍ରୀ, ୧୬ କେନ୍ଦ୍ରୀୟ ମନ୍ତ୍ରୀ ଓ ୫ ରାଜ୍ୟମନ୍ତ୍ରୀ ଥିଲେ । ୨୦୨୪ ରେ ମୋଦୀଙ୍କ ତୃତୀୟ ପାଳିରେ ୭୧ ମନ୍ତ୍ରୀ, ୩୦ କେନ୍ଦ୍ରୀୟମନ୍ତ୍ରୀ, ୫ ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଓ ୩୬ ରାଜ୍ୟମନ୍ତ୍ରୀ ରହିଛନ୍ତି ।

ସେହିଭଳି ଯଦି ଲିଙ୍ଗଭେଦରେ ବିଚାର କରିବା ତେବେ ୧୯୬୨ରେ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ୯୫ ପ୍ରତିଶତ ପୁରୁଷ ଓ ୫ ପ୍ରତିଶତ ମହିଳାଙ୍କୁ ମନ୍ତ୍ରୀପଦ ମିଳିଥିଲା । ମୋଦୀଙ୍କ ତୃତୀୟ ପାଳିରେ ୯୦ ପ୍ରତିଶତ ପୁରୁଷ ଓ ୧୦ ପ୍ରତିଶତ ମହିଳାଙ୍କୁ ମନ୍ତ୍ରୀପଦ ମିଳିଛି ।

ସେହିଭଳି ଧର୍ମ ଆଧାରରେ ଯଦି ବିଚାର କରିବା ତେବେ ୧୯୬୨ ନେହେରୁ କ୍ୟାବିନେଟରେ ୮୬ ପ୍ରତିଶତ ହିନ୍ଦୁ, ୧୦ ପ୍ରତିଶତ ମୁସଲିମ୍ ଓ ୪ ପ୍ରତିଶତ ଶିଖ ଧର୍ମର ନେତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ହେଲେ ମୋଦୀଙ୍କ ତୃତୀୟ ପାଳିରେ ୯୪ ପ୍ରତିଶତ ହିନ୍ଦୁ, ୩ ପ୍ରତିଶତ ଶିଖ ଓ ୩ ପ୍ରତିଶତ ଇସାଇଧର୍ମର ନେତାଙ୍କୁ ମନ୍ତ୍ରୀପଦ ମିଳିଛି । ହେଲେ ଆଶ୍ଚର୍ଯ୍ୟର କଥା ମୋଦୀଙ୍କ ତୃତୀୟ ପାଳିରେ ଗଠିତ ମନ୍ତ୍ରୀମଣ୍ଡଳରେ ଜଣେ ବି ମୁସଲିମ୍ ନେତାଙ୍କୁ ମନ୍ତ୍ରୀପଦ ମିଳିନାହିଁ ।

ଅନ୍ୟପେଟ ଯଦି ମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିବା ତେବେ ନେହେରୁଙ୍କ ୩ଟି ଯାକ କାର୍ଯ୍ୟକାଳରେ ପାଖାପାଖି ୮୦ ପ୍ରତିଶତ ମନ୍ତ୍ରୀ ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ ଥିଲେ । ହେଲେ ମୋଦୀଙ୍କ ପ୍ରଥମ କାର୍ଯ୍ୟାକାଳରେ ୧୮ ପ୍ରତିଶତ ମନ୍ତ୍ରୀ ଦ୍ୱାଦଶ ପାସ୍ ଥିଲେ, ୭୧ ପ୍ରତିଶତ ଗ୍ରାଜୁଏଟ ଓ ୧୧ ପ୍ରତିଶତ ଡକ୍ଟରେଟ ଥିଲେ । ଦ୍ୱିତୀୟ କାର୍ଯ୍ୟକାଳରେ ୧୨ ପ୍ରତିଶତ ଦ୍ୱାଦଶ ପାସ୍, ୭୮ ପ୍ରତିଶତ ଗ୍ରାଜୁଏଟ ଓ ୧୦ ପ୍ରତିଶତ ଡକ୍ଟରେଟ ସ୍ଥାନ ପାଇଥିଲେ । ହେଲେ ତୃତୀୟ ପାଳିରେ ୧୬ ପ୍ରତିଶତ ମନ୍ତ୍ରୀ ଦ୍ୱାଦସ ପାସ, ୭୮ ପ୍ରତିଶତ ଗ୍ରାଜୁଏଟ ଓ ୬ ପ୍ରତିଶତ ମନ୍ତ୍ରୀଙ୍କ ପାଖରେ ଡକ୍ଟରେଟ ଉପାଧୀ ରହିଛି ।